ବଡ଼ନଦୀର କୂଳଖାଇ ସଙ୍କଟରେ ୬ ଗାଁର ୪୦୦ରୁ ଊର୍ଦ୍ଧ୍ୱ ପରିବାର; ପ୍ରଶାସନ ଓ ଜଳସେଚନ ବିଭାଗର ସ୍ଥିତି ଅନୁଧ୍ୟାନ

8

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ବାତ୍ୟା ଓ ବନ୍ୟାର ଆଶଙ୍କା ଲାଗି ରହୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଏବଂ ନଦୀ କୂଳହୁଡ଼ା ଦୁର୍ବଳ ହେବା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଭଞ୍ଜନଗର ଅଞ୍ଚଳ ଦେଇ ପ୍ରବାହିତ ବଡ଼ନଦୀର କୂଳହୁଡ଼ା ଏବେ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଛି। ପ୍ରଖର ଜଳସ୍ରୋତରେ କୂଳ ଧୋଇ ଯାଉଥିବାରୁ କୁଲାଡ ପଞ୍ଚାୟତ ନିକଟବର୍ତ୍ତୀ ୬ଟି ଗ୍ରାମର ପ୍ରାୟ ୪୦୦ରୁ ଅଧିକ ପରିବାର ଉପରେ ବଡ଼ ବିପଦ ମାଡ଼ି ଆସୁଥିବା ନେଇ ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି।
​ସୂଚନା ଅନୁଯାୟୀ, ବଡ଼ନଦୀ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ ହୋଇଥିବା ବେଳେ ଏହାର ସ୍ରୋତ ଅତ୍ୟନ୍ତ ପ୍ରଖର। କମଳାବାଡ଼ି (କୁଲାଡ ପଞ୍ଚାୟତ ଅନ୍ତର୍ଗତ) ନିକଟରେ ବାରିନାଲିଆ ଏବଂ ଗେରେଡ଼ା ଧାର ନାମକ ଦୁଇଟି ଧାର ମିଶି ଏହି ନଦୀ ଦେଇ ପ୍ରବାହିତ ହେଉଛି। ବର୍ତ୍ତମାନ ବଡ଼ନଦୀର ଗଜାପଦର ନିକଟରୁ ଖପରାପଲ୍ଲୀ ପର୍ଯ୍ୟନ୍ତ ଅଞ୍ଚଳରେ ନଦୀର ବାମ ପାର୍ଶ୍ୱ କୂଳହୁଡ଼ାର ବଡ଼ ଅଂଶ ପ୍ରଖର ସ୍ରୋତରେ ଧୋଇ ହୋଇଯାଇଛି। କୂଳହୁଡ଼ା ଅତ୍ୟନ୍ତ ଦୁର୍ବଳ ଓ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଆଗକୁ ଗୋଟିଏ କିମ୍ବା ଦୁଇଟି ଲଘୁଚାପ ଜନିତ ବର୍ଷା ହେଲେ ହୁଡ଼ା ଭାଙ୍ଗିଯିବାର ଯଥେଷ୍ଟ ସମ୍ଭାବନା ରହିଛି।
​ଏହି କୂଳହୁଡ଼ା ଭାଙ୍ଗିଲେ କୁଲାଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣପାଟଣା, କୃଷ୍ଣଶରଣପୁର, ଚଣ୍ଡୀପାଟଣା, ଖପରାପଲ୍ଲୀ, ନୀଳାଦ୍ରିପୁର ସମେତ ମୋଟ ୬ଟି ଗ୍ରାମର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର କ୍ଷତିଗ୍ରସ୍ତ ହେବା ସହ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ୨୦୦୯ ମସିହାରେ ଏହି କୂଳହୁଡ଼ା ଭାଙ୍ଗି ବ୍ୟାପକ ଧନଜୀବନ କ୍ଷତି ଘଟାଇଥିଲା। ସେହି ପୁରୁଣା ଭୟ ଓ ସ୍ମୃତି ଆଜି ବି ଗ୍ରାମବାସୀଙ୍କ ମନରେ ତାଜା ରହିଥିବା ବେଳେ ବର୍ତ୍ତମାନର ପରିସ୍ଥିତି ସେମାନଙ୍କ ଚିନ୍ତା ଓ ନିଦ ହଜାଇ ଦେଇଛି।
​ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନାରାୟଣପାଟଣା, କୃଷ୍ଣଶରଣପୁର, ଚଣ୍ଡୀପାଟଣା, ଖପରାପଲ୍ଲୀ ଓ ନୀଳାଦ୍ରିପୁର ଆଦି ଗ୍ରାମର ବହୁ ଲୋକ ଏକତ୍ରିତ ହୋଇ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ସାହୁ ଙ୍କୁ ସାକ୍ଷାତ କରିଥିଲେ। କୂଳହୁଡ଼ାର ସୁରକ୍ଷା ଓ ସ୍ଥାୟୀ ପ୍ରତିକାର ଦାବିରେ ସେମାନେ ଲିଖିତ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଥିଲେ।
​ଅଭିଯୋଗ ପରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳ ତଥା ନଦୀ କୂଳହୁଡ଼ା ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତି ଓ ବିପଦସଙ୍କୁଳ ସ୍ଥିତିର ସମୀକ୍ଷା କରିବା ସହ ଖୁବ୍‌ କମ୍‌ ଦିନ ମଧ୍ୟରେ କୂଳହୁଡ଼ା ନିକଟରେ ମାଟି ପକାଇବା ସହିତ ପଥର ପକାଇ ପକ୍କା ସୁରକ୍ଷା କାର୍ଯ୍ୟ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନ ଓ ଜଳସେଚନ ବିଭାଗର ତ୍ୱରିତ ପଦକ୍ଷେପ ଓ ପ୍ରତିଶ୍ରୁତିକୁ ନେଇ ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.