ଗୌଡ଼ପୁଟ ଝାଙ୍ଗିରାମ ହାଇସ୍କୁଲ ବିବାଦ;

7


ବିଭାଗୀୟ ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ ସତ୍ୟ !

ଓଡ଼ଗାଁ, ୨୮।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଝାଙ୍ଗିରାମ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନେଇ ଉପୁଜିଥିବା ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ଦାବି ଉଠାଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ, ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ଫକୀରମୋହନ ମିଶ୍ର ବିଦ୍ୟାଳୟକୁ ଯିବା ବନ୍ଦ ରଖିଛନ୍ତି। ତାଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ ପାଠପଢ଼ା ଏବେ ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡ଼ିଛି। ବାଳିକା ଶିକ୍ଷାର୍ଥୀଙ୍କ ପ୍ରତି ସମ୍ମାନଜନକ ବ୍ୟବହାର, ଉନ୍ନତମାନର ମଧ୍ୟାହ୍ନ ଭୋଜନ, ଗୁଣାତ୍ମକ ଶିକ୍ଷା ପ୍ରଦାନ, ବିଦ୍ୟାଳୟ ପରିଚାଳନା କମିଟି ଭଙ୍ଗ ସହ ପ୍ରଧାନ ଶିକ୍ଷକଙ୍କ ବଦଳି ଆଦି ଦାବି ନେଇ ଗତ ବୁଧବାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବନଲତା ବେହେରା, ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର କର ଏବଂ ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅଧିକାରୀମାନଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।ଅନ୍ୟପକ୍ଷରେ, ପ୍ରଧାନ ଶିକ୍ଷକ ଫକୀରମୋହନ ମିଶ୍ର ତାଙ୍କ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗଗୁଡ଼ିକ ଭିତ୍ତିହୀନ, ମିଥ୍ୟା ଓ କପୋଳକଳ୍ପିତ ବୋଲି ସେ ମତ ରଖିବା ସହ ଏହା ତାଙ୍କ ବିରୋଧରେ ଏକ ଚକ୍ରାନ୍ତ ବୋଲି କହିଛନ୍ତି। ତାଙ୍କ ପରିବାର ପକ୍ଷରୁ ମଧ୍ୟ ଅଭିଯୋଗଗୁଡ଼ିକୁ ଖଣ୍ଡନ କରାଯାଇଛି। ଫୁଟବଲ ମ୍ୟାଚ୍‌ ପାଇଁ ମୋଟା ଅଙ୍କର ଅର୍ଥ ଦେବାକୁ ଅସମର୍ଥ ହେବା ଏବଂ ବିଦ୍ୟାଳୟରେ ଶ୍ରେଣୀକକ୍ଷ ଯୋଗାଇବା ପ୍ରସଙ୍ଗରେ ଅସହାୟତା ପ୍ରକାଶ କରିବା ପରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ବୋଲି ସେ ନିଜ ପକ୍ଷରୁ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ହୋଇଥିଲେ ମଧ୍ୟ ଉଭୟ ପକ୍ଷର ଅଭିଯୋଗ ଓ ଖଣ୍ଡନ ମଧ୍ୟରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ଶିକ୍ଷା ବିଭାଗର ନିରପେକ୍ଷ ବିଭାଗୀୟ ତଦନ୍ତ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତଦନ୍ତର ନିଷ୍କର୍ଷ ହିଁ ଏହି ବିବାଦରେ ଉଠିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସହ ସତ୍ୟକୁ ସ୍ପଷ୍ଟ କରିପାରିବ। ତେବେ ଏଭଳି ବିବାଦ ମଧ୍ୟରେ କାହାର ସମ୍ମାନ କ୍ଷୁର୍ଣ୍ଣ ହେଲେ, ତାହା ପୁନରୁଦ୍ଧାର କରିବା ସହଜ ନୁହେଁ।

Leave A Reply

Your email address will not be published.