ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ପରକ୍ଷୀଲା କାୟାକଳ୍ପ ଟିମ୍

2

ଓଡ଼ଗାଁ, ୩୦।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣିଆ କାୟାକଳ୍ପ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସଫଳତାର ସହିତ ସ୍ୱଚ୍ଛତା ପରକ୍ଷୀବା କାର୍ଯ୍ୟ ସମ୍ପନ୍ନ ହୋଇଛି। ଦଳଟି କେବଳ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରକୁ ନୁହେଁ, ବରଂ ଡାକ୍ତରଙ୍କ ଚାମ୍ବର, ରୋଗୀମାନେ ରହୁଥିବା ୱାର୍ଡ, ବେଡ୍, ଲ୍ୟାବରେଟରୀ, ଅପରେସନ ଥିଏଟର, ଔଷଧ ଗୋଦାମ, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ପର୍ଶକାତର ସ୍ଥାନଗୁଡ଼ିକୁ ତନ୍ନ-ତନ୍ନ କରି ପରୀକ୍ଷା କରିଥିଲେ।
ସେହିପରି ବର୍ଯ୍ୟବସ୍ତୁ ପରିଚାଳନା, ଜୈବ-ଚିକିତ୍ସା ଅବର୍ଜନା ବିସର୍ଜନ ପ୍ରଣାଳୀ, ସ୍ବଚ୍ଛତା ରକ୍ଷା ପ୍ରକ୍ରିୟା, ରେକର୍ଡ ଓ ଦଲିଲପତ୍ରର ଯାଞ୍ଚ୍‌ ସହିତ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା।
ଏହି ୩ ଜଣିଆ କାୟାକଳ୍ପ ଦଳରେ ରାଜ୍ୟ ସ୍ବାସ୍ଥ୍ୟ ଭରସା ପ୍ରତିଷ୍ଠାନର ଡାକ୍ତର ବିଜୟ କୁମାର ଧଳ, ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସମରେଶ୍ୱର ସାହୁ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ବାଳ ସ୍ବାସ୍ଥ୍ୟ ପରାମର୍ଶଦାତା ପ୍ରଶାନ୍ତ କୁମାର ଦାସ ସାମିଲ ଥିଲେ। ଦଳକୁ ସହଯୋଗ କରିବା ପାଇଁ ଜିଲ୍ଲା ଗୁଣାତ୍ମକ ଅଧିକାରୀ ସନତ କୁମାର ମହାପାତ୍ର, ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଉତ୍ପଳ ପଟ୍ଟନାୟକ, ବ୍ଲକ ପ୍ରୋଗ୍ରାମ ଅଧିକାରୀ ଇପ୍ସିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନିଲାଞ୍ଜନ ଦାସ, ଡା. ଦୀପକ କୁମାର ବଳ, ଡା. ପ୍ରଣତୀ ମଞ୍ଜରୀ ଶର୍ମା, ଡା. ସମ୍ବିତ୍ ପ୍ରସାଦଙ୍କ ସହିତ ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାୟାକଳ୍ପ ଦଳକୁ ସ୍ବଚ୍ଛତା ପରୀକ୍ଷାରେ ସହଯୋଗ କରିବା ସହିତ ସେମାନଙ୍କ ପ୍ରଶ୍ନର ସଠିକ୍ ଉତ୍ତର ରଖିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ପରୀକ୍ଷା-ନିରୀକ୍ଷଣ କାର୍ଯ୍ୟ ସମାପ୍ତ ପରେ କାୟାକଳ୍ପ ଦଳ ଓଡ଼ଗାଁ ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରି ଫେରିଯାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ରମାନ୍ୱୟରେ ପ୍ରାୟ ୫ବର୍ଷରୁ ଅଧିକ ବର୍ଷଧରି କାୟାକଳ୍ପ ପୁରସ୍କାର ହାସଲ କରିଆସୁଥିବା ବେଳେ, ଚଳିତ ବର୍ଷ ପୁଣିଥରେ ଏହି ପୁରସ୍କାର ଲାଭ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦୃଢ଼ ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.