ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ଯରେ ୭୭ ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ତଥା ଉତ୍ସାହ ସହିତ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଡ.ରୀନା ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠାନର କର୍ମଚାରୀ ତଥା ଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ଆଜି ଦିନର ବିଶେଷତ୍ବ ସଂପର୍କରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ।
୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବା ସହ ଏହାର ମୂଲ୍ଯବୋଧ କିପରି ଭାରତୀୟ ଜନମାନସରେ ପ୍ରତିଫଳିତ ହୋଇଥିଲା ସେ ସଂପର୍କରେ ଆଲୋକପାତ କରି ଭାରତୀୟ ସମ୍ବିଧାନ କେବଳ ଏକ ଆଇନଗତ ଦଲିଲ ନୁହେଁ, ଏହା ପ୍ରତ୍ଯେକ ଭାରତୀୟଙ୍କର ଜାତୀୟ ଆତ୍ମାର ପ୍ରତିବିମ୍ବ , ଯାହା ସମସ୍ତଙ୍କୁ ନ୍ଯାୟ , ସ୍ବାଧୀନତା , ସମତା , ସଂହତି ତଥା ଭାଇଚାରା ର ମୂଲ୍ଯବୋଧ ପ୍ରଦାନ କରେ ବୋଲି ମତ ପ୍ରକାଶ କରିଥିଲେ। ତତସହିତ ଅଧ୍ୟକ୍ଷା ସ୍ବାଧୀନତା ସଂଗ୍ରାମରେ ଶହୀଦ ହୋଇଥିବା ବରପୁତ୍ରଙ୍କ ସ୍ମୃତି ଚାରଣ କରିବାସହ , ସେମାନଙ୍କର ତ୍ଯାଗ ତଥା ଆଦର୍ଶ ସହିତ ଅନୁପ୍ରାଣିତ ହୋଇ ଛାତ୍ରୀବୃନ୍ଦ ଅଧ୍ୟୟନ ସହ ଦେଶପ୍ରେମ , ସାମାଜିକ ଦାୟିତ୍ବ , ଆଇନଶୃଙ୍ଖଳା ପ୍ରତି ସଚେତନ ହେବା ସହ ସମ୍ବିଧାନର ନିୟମ ପାଳନ ମୁତାବକ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖି , ସତ୍ଯନିଷ୍ଠ ଭାବରେ ନିଜ ନିଜ କର୍ମ କ୍ଷେତ୍ରରେ କିପରି କର୍ତ୍ତବ୍ଯ ପାଳନ କରିବେ ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।
ଏଥିସହିତ ଅନୁଷ୍ଠାନର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡିତ ସମ୍ବିଧାନର ପ୍ରଣେତା ଡ.ବି ଆର. ଆମ୍ବେଦକରଙ୍କର ଜୀବନୀ ଉପରେ ଆଲୋକପାତ କରି ସମ୍ବିଧାନର ଉଦ୍ଦେଶ୍ଯ ଓ ମହନୀୟତା ଉପରେ ଆଲୋଚନା କରିଥିଲେ ଏବଂ ସମ୍ବିଧାନ ଅନୁଯାଇ କର୍ତ୍ତବ୍ଯ ପାଳନ କରିବାକୁ ଛାତ୍ରୀମାନଙ୍କୁ ସଂକଳ୍ପବଦ୍ଧ ହେବାପାଇଁ ପରାମର୍ଶ ଦେଇଥିଲେ।
ଏହି ପବିତ୍ର ପରିବେଶରେ ଅନୁଷ୍ଠାନର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ଯ, ଅଧ୍ୟାପକ ଶ୍ରୀଯୁକ୍ତ ତ୍ରିଲୋଚନ ବାରିକ , ରାଜେଶ ପାତ୍ର , ଲାଲୀ ଖଡଗରାୟ ଏବଂ କେ .ଦୁର୍ଯ୍ୟୋଧନ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳୀକୃତ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ କରିଥିଲେ।
ଆଜିର ଏହି ପବିତ୍ର ଦିବସରେ ଭିନ୍ନ ଏକ ଅବସରରେ ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରୀମାନଙ୍କ ଭିନ୍ନ ଏକ ଦଳ” ବାଲ୍ଯ ବିବାହ ମୁକ୍ତ ଭାରତ ” ସଚେତନତାମୂଳକ ଅଭିଯାନରେ ସାଇକେଲ ଯୋଗେ ସହର ପରିକ୍ରମା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post