କେନ୍ଦୁଝର,ତା୧୦/୧୨- କେନ୍ଦୁଝରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ‘ପଲ୍ଲିଶ୍ରୀ ମେଳା-୨୦୨୫’ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଗତ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ କୁମାର ନାଗଭୂଷଣ ମେଳା ଆୟୋଜନ ସମ୍ବନ୍ଧିତ ଆଲୋଚନା କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଏହି ମେଳାକୁ ୧୦ ଦିନ ବ୍ୟାପୀ ତା. ୨୬.୧୨.୨୦୨୫ ରୁ ୦୪.୦୧.୨୦୨୬ ପର୍ଯ୍ୟନ୍ତ କାଳି ପଡ଼ିଆ ନିକଟସ୍ଥ କେନ୍ଦୁଝର ଷ୍ଟାଡିୟମ୍ରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଏହି ମେଳାରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାୟ ୩୦୦ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା/ସଦସ୍ୟ ମାନଙ୍କ ରହଣି ପାଇଁ ବ୍ୟବସ୍ଥା, ବ୍ୟାପକ ପ୍ରଚାର ପ୍ରସାର ପାଇଁ ମୁଖ୍ୟ ସ୍ଥାନମାନଙ୍କରେ ହୋର୍ଡିଂ, ସ୍ଥାପନା,ଦୈନିକ ହଜାର ହଜାର ଦର୍ଶକଙ୍କ ଆଗମନର ଆଶା କରାଯାଉଥିବାରୁ ପର୍ଯ୍ୟାପ୍ତ ସଂଖ୍ୟକ ପାଣି ଟ୍ୟାଙ୍କର ଓ ତିନୋଟି ପାନୀୟ ଜଳ ଗାଡ଼ିର ବ୍ୟବସ୍ଥା କରାଯିବ। ଆଇନ ଶୃଙ୍ଖଳା ଓ ସୁରକ୍ଷାର ସୁପରିଚାଳନା ପାଇଁ ୨୪ ଘଣ୍ଟିଆ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ମୁତୟନ କରାଯିବ। ମେଳାସ୍ଥଳରେ ଅଗ୍ନିଶମ ବାହିନୀ ଗାଡ଼ି ଓ ଆବଶ୍ୟକୀୟ କର୍ମଚାରୀଙ୍କ ସହ ୨୪ ଘଣ୍ଟିଆ ସେବା ଉପଲବ୍ଧ ରହିବ। ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯିବ। ସମାନ୍ତରାଳ ଭାବେ ୨୬ ଡିସେମ୍ବରଠାରୁ ଆରମ୍ଭ ହେବାକୁ ଥିବା ଗୋନାସିକା କେନ୍ଦୁଝର ମହାତ୍ସବ ଡିସେମ୍ବର ୩୦ ତାରିଖ ଶେଷ ହେବା ପରେ ମଧ୍ୟ ମେଳାର ଷଷ୍ଠ ଦିନରୁ ଦଶମ ଦିନ ପର୍ଯ୍ୟନ୍ତ (୩୧.୧୨.୨୦୨୫ ରୁ ୦୪.୦୧.୨୦୨୬) ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜରୁରୀକାଳୀନ ସେବା ଷ୍ଟଲ୍କୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ପାଇଁ ଷ୍ଟଲ୍ ଦର ୧୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଶିବଶଙ୍କର ମିଶ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ କ୍ଷିତିଶ ଚନ୍ଦ୍ର ବଳ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.