ଧରାପଡ଼ିଲା ନକଲି ଦେଇ ଅସଲି ସୁନା ଲୁଟିନେବା ଘଟଣାର ଅଭିଯୁକ୍ତ

0

ବଡ଼ବିଲ/ଚିତ୍ତରଞ୍ଜନ କର

ନକଲି ସୁନା ଦେଇ ଅସଲି ସୁନା ଲୁଟିନେବା ଘଟଣାର ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚୁରା କରିଛି ବଡ଼ବିଲ ପୋଲିସ । ଗତ ଜାନୁଆରୀ ୪ ତାରିଖ ଅପରାହ୍ନ ୩ଟା ସମୟରେ ବଡ଼ବିଲ ମୁଖ୍ୟ ବଜାର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ଥିବା ଭଗବାନ ଦାସ ଜୁଏଲର୍ସକୁ ଜଣେ ବ୍ୟକ୍ତି ଆସି ୧୦୦ ଗ୍ରାମର ନକଲି ସୁନା ବାର୍ ଦେଇ ପ୍ରତି ବଦଳରେ ୬୦ ଗ୍ରାମର ସୁନା ଅଳଙ୍କାର ଯାହାର କି ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ, ନେଇ ଚମ୍ପଟ ମାରିଥିଲେ। ଏନେଇ ଜୁଏଲାରୀ ମାଲିକ ଶୁଭମ କୁମାର ଗୁପ୍ତା ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ ୪୨୦ ଆଇପିସି ଧାରାରେ ଏକ କେଶ ରୁଜୁ କରି ଜୁଏଲାରୀ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା।  ସିସିଟିଭି ଫୁଟେଜରୁ ମିଳିଥିବା ଲୁଟେରାର  ଫଟୋ ଵିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଦିନକ ପରେ ସମାନ ଢଙ୍ଗରେ ବ୍ୟକ୍ତି ଜଣକ କୁଚିଣ୍ଡାରେ ଜଣେ ଜୁଏଲର୍ସକୁ ଲୁଟିବା ପାଇଁ ଉଦ୍ୟମ କରିଥିଲେ । ତେବେ କୁଚିଣ୍ଡାର ସେହି ଜୁଏଲର୍ସଙ୍କ ସନ୍ଦେହ ହେବାରୁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ  ପୋଲିସ ତତ୍ପରତା ପ୍ରକାଶ କରି ଲୁଟେରାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଲୁଟେରା ବ୍ୟକ୍ତି ଜଣକ ହେଉଛନ୍ତି ହରିୟାଣା ଫରିଦାବାଦ ଜିଲ୍ଲା ନାଗଲା ଅଂଚଳର ଯୋଗେଶ ସିଂ ଚୌହାନ । ବଡ଼ବିଲ ଜୁଏଲାରୀ ଲୁଟ ଘଟଣାର ଅଧିକ ତଦନ୍ତ ନିମନ୍ତେ   ଯୋଗେଶକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା ବଡ଼ବିଲ ପୋଲିସ । ତେବେ ରିମାଣ୍ଡ ମିଳିବା ପରେ ବଡ଼ବିଲ ପୋଲିସ ଅଭିଯୁକ୍ତ ଯୋଗେଶକୁ ବଡ଼ବିଲ ଆଣି ଜେରା କରିବା ପରେ କୋର୍ଟ ଚାଲାଣ କରିଥିବା ବଡ଼ବିଲ ଥାନାଧିକାରୀ ଅନିଲ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.