ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ଓଡ଼ଗାଁରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ସଭା,

9


ଓଡ଼ଗାଁ, ୩୦।୧୦ (ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପଞ୍ଚାୟତ ସମିତି ପରିସର ମିସନଶକ୍ତି ସଭା ଗୃହରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଚାଲିଥିବା ୪୪ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ଶୁକ୍ରବାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରୀତିବାଳା ରଣାଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର କର, ଓଡ଼ଗାଁ ମଣ୍ଡଳ ପ୍ରକଳ୍ପ ସଂଯୋଜକ ମୃତ୍ୟୁଞ୍ଜୟ ବେହେରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିଦ୍ୟୁତପ୍ରଭା ପରିଡ଼ା, ମିଶନ ଶକ୍ତିର ପ୍ରତିନିଧି, ଶ୍ରମିକ ସଂଘର ସଦସ୍ୟସଦସ୍ୟା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟାଙ୍କ ସମେତ ପ୍ରେସ୍ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ସଭାରେ ଶିଶୁ ଶ୍ରମିକ ନିରାକରଣ କ୍ଷେତ୍ରରେ ପଞ୍ଚାୟତ ସମିତିର ସଦସ୍ୟମାନଙ୍କ ଭୂମିକା, ଶିଶୁ ଶ୍ରମିକଙ୍କ ବର୍ଗୀକରଣ, ଶିଶୁ ଶ୍ରମିକ ପ୍ରଥାର ମୂଳୋତ୍ପାଟନ ଏବଂ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକମୁକ୍ତ ପଞ୍ଚାୟତ ଓ ସମାଜ ଗଠନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସହକାରୀ ଶ୍ରମ ଅଧିକାରୀ ମୋନିକା ସେଠ୍‌ ଶିଶୁମାନଙ୍କ ପାଇଁ ‘ଶିଶୁକୁ ଶ୍ରମ ନୁହେଁ, ଶିକ୍ଷା ଦରକାର’ ବାର୍ତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଏ ଦିଗରେ ନିଜ ନିଜର ମତାମତ ଓ ପରାମର୍ଶ ରଖିବାକୁ ଅନୁରୋଧ କରିଥିଲେ। ବିଭିନ୍ନ ବିଭାଗର ପ୍ରତିନିଧିମାନେ ନିଜ ନିଜ ବିଭାଗରେ ଉପଲବ୍ଧ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ଶ୍ରମ ବିଭାଗ ସହ ସମନ୍ୱୟ ରକ୍ଷା କରି ଅଭିଯାନକୁ ସଫଳ କରିବା ନେଇ ମତ ରଖିଥିଲେ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ଜନ ସଚେତନତା ସୃଷ୍ଟି, ସମସ୍ତ ଶିଶୁଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ, ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ସୁନିଶ୍ଚିତ କରିବା ସହ ଉଦ୍ଧାର ପରବର୍ତ୍ତୀ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଅବସାନ ପାଇଁ ସମସ୍ତ ବିଭାଗ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିବା ପରେ ସଭାର ପରିସମାପ୍ତି ଘଟିଥିଲା।

Leave A Reply

Your email address will not be published.