ଦେଓଗାଁ ଭାଲିଆଡିହି ବିବାଦୀୟ ରାସ୍ତା ନିର୍ମାଣ ଘଟଣା

9

  • ଜିଲ୍ଲା ପ୍ରଶାସନ ଓ ଉଭୟ ଗ୍ରାମର ଉପସ୍ଥିତ ସଦସ୍ୟଙ୍କ ଉପସ୍ଥିତିରେ ଶାନ୍ତି ବୈଠକ,
  • ଦୁଇ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ପତ୍ରରେ ଦସ୍ତଖତ ରଖିଲେ ଦେଓଗାଁ ବାସୀ,
  • ଦସ୍ତଖତ ପାଇଁ ମନାକଲେ ଭାଲିଆଡିହି ଗ୍ରାମବାସୀ।


ଓଡ଼ଗାଁ, ୩୦।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ଉପସ୍ଥିତିରେ ଦେଓଗାଁ ଏବଂ ଭାଲିଆଡିହିର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏକ ଶାନ୍ତି ବୈଠକ ଶୁକ୍ରବାର ସକାଳ ୧୦.୩୦ ରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗଣୀପାଟଣା ଠାରୁ ସୁନା ମୁହିଁ ପାଖକୁ ଯାଉଥିବା ପୂର୍ତ୍ତବିଭାଗ ରାସ୍ତାର ଦେଓଗାଁ ଭାଲିଆଡିହି ଠାରେ ରାସ୍ତା ନିର୍ମାଣ ସ୍ଥାନକୁ ନେଇ ଦୀର୍ଘବର୍ଷ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ଦ୍ବାରା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସହ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଭାଲିଆଡିହି ଗ୍ରାମବାସୀଙ୍କ ଦ୍ବାରା ଏହାର ପ୍ରତିରୋଧ କରାଯାଇଥିଲା। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଲା। ଏହାର ପ୍ରତିବାଦରେ ଦେଓଗାଁ ଗ୍ରାମବାସୀ ନୟାଗଡ଼ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସାମନାରେ ଦୀର୍ଘଦିନ ଧରି ଧାରଣାରେ ବସିଥିଲେ। ସମାଧାନରେ ବିଳମ୍ବ ହେବାରୁ ପ୍ରଥମେ ରାସ୍ତାଦେଇ ଯାଉଥିବା ଓଡ଼ିଶାର ବାଚସ୍ପତିଙ୍କ କାରକେଡ ସାମ୍ନାରେ ଶୋଇ ପ୍ରତିବାଦ କରିଥିଲେ। ଏବଂ ପରେ କେତେକ ସଦସ୍ୟ ଯଥାଶୀଘ୍ର ସମାଧାନ ରାସ୍ତା ବାହାର ପାଇଁ ଜିଲାପାଳଙ୍କ ଅଫିସ ସାମନାରେ ଆମରଣ ଅନଶନ ଆରମ୍ଭ କରିଥିଲେ । ହେଲେ ବାତ୍ୟା ଥିବାରୁ ପ୍ରଶାସନ ଅନୁରୋଧ କ୍ରମେ ଅନସନକୁ ସ୍ଥଗିତ ରଖିଥିଲେ। ହେଲେ ଧାରଣାକୁ ଚାଲୁ ରଖିଥିଲେ। ଫଳରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହ ଗ୍ରାମବାସୀଙ୍କ ଧାରଣା ପ୍ରଶାସନ ନିମନ୍ତେ ମୁଣ୍ଡବିନ୍ଧାର କାରଣ ସାଜିଥିଲା। ଏଣୁ ଏହାର ସହଜ ସମାଧାନ ନିମନ୍ତେ, ଏକ ଶାନ୍ତି ବୈଠକ ସ୍ଵରୁପ ଉଭୟ ଗ୍ରାମର ସଦସ୍ୟ ମାନଙ୍କୁ ଶୁକ୍ରବାର ଦିନ ଓଡ଼ଗାଁ ବ୍ଳକ ସଭାଗୃହକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ଆହ୍ବାନ କରାଯାଇଥିଲା । ଆଜିର ଶାନ୍ତି ବୈଠକରେ ଉପସ୍ଥିତ ଉଭୟ ଗ୍ରାମର ସଦସ୍ୟ ମାନେ ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସକ ମାନଙ୍କ ସାମ୍ନାରେ ନିଜର ପକ୍ଷ ରଖିଥିଲେ। ବିବାଦୀୟ ରାସ୍ତା ସମ୍ପର୍କରେ ଉଭୟ ପକ୍ଷଙ୍କ ଠାରୁ ଆପତ୍ତି ଅଭିଯୋଗ ଶୁଣିବା ସହ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଓଜେସି ସଂଖ୍ୟା ୧୧୧୫୮/୧୯୯୯ ନିର୍ଦ୍ଦେଶ ଅନୁସାରେ ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଏବଂ ଭାଲିଆଡିହି ଗ୍ରାମବାସୀଙ୍କ ପ୍ରସ୍ତାବିତ ରାସ୍ତାକୁ ମଧ୍ୟ ପରବର୍ତ୍ତୀ ସମୟରେ ଅନୁମୋଦନ କ୍ରମେ ନିର୍ମାଣ କରାଯିବାକୁ ସ୍ଥିର କରାଗଲା। ଏବଂ ସଂଗେସଂଗେ ଏହାର ପ୍ରାରମ୍ଭିକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ପାଇଁ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରାଙ୍କୁ କହିବା ସହ ଆଜିର ସୈ।ହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ନିଷ୍ପତ୍ତି ହୋଇଥିବା ବିବାଦୀୟ ରାସ୍ତାକୁ ଯଥାଶୀଘ୍ର ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଉଭୟ ଗ୍ରାମ ପାଇଁ ଆବଶ୍ୟକଥିବା ଉନ୍ନୟନ କାର୍ଯ୍ୟ ଯଥା ହାଟ, ବଜାର, ବସଷ୍ଟାଣ୍ଡ ଓ ଲାଇବ୍ରେରୀ ଇତ୍ୟାଦି ନିର୍ମାଣ କରିବା ନିମନ୍ତେ ଜିଲ୍ଲାପାଳ ବିଡ଼ିଓଙ୍କୁ ପରାମର୍ଶ ଦେଇଥିଲେ । ଏବଂ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଗୃହିତ ହୋଇଥିବା ଉପରୋକ୍ତ ବିଷୟ ଗୁଡିକର ଏକ ନିଷ୍ପତ୍ତି ପତ୍ର ଲେଖା ଯାଇଥିଲା। ହେଲେ ଉଭୟ ରାସ୍ତାକୁ ଏକା ସଂଗରେ ନିର୍ମାଣ କରିବାକୁ ଭାଲିଆଡିହି ଗ୍ରାମବାସୀ ଅଡି ବସିଥିଲେ। ମାତ୍ର ଉକ୍ତ କାର୍ଯ୍ୟ ସମୟ ସାପେକ୍ଷ ବୋଲି ପ୍ରଶାସନ ମତ ରଖିଥିଲା। ଫଳରେ ହାଇକୋର୍ଟଙ୍କ ନିଷ୍ପତ୍ତି ଭିତିରେ ବିବାଦୀୟ ରାସ୍ତା ଏକାକୀ ନିର୍ମାଣ କରାଗଲେ ଆମେ ବିରୋଧ କରିବୁ ନାହିଁ କି ନିଷ୍ପତ୍ତି ପତ୍ରରେ ହସ୍ତାକ୍ଷର ଦେବୁନାହିଁ ବୋଲି ଭାଲିଆଡିହି ଗ୍ରାମର ଉପସ୍ଥିତ ସଦସ୍ୟ ମାନେ କହିଥିଲେ। ମାତ୍ର ପ୍ରଶାସନର ନିଷ୍ପତ୍ତିକୁ ଗ୍ରହଣ କରି ଦେଓଗାଁ ସଦସ୍ୟ ମାନେ ନିଷ୍ପତ୍ତି ପତ୍ରରେ ଦସ୍ତଖତ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକ, ରାଜସ୍ୱ ନିରୀକ୍ଷକ ସ୍ବାପ୍ନାରାଣୀ ସ୍ବାଇଁ, ସୁପରଭାଇଜର ସୁବାସ ଚନ୍ଦ୍ର ମିଶ୍ର, ଯୁଗଳ କିଶୋର ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ହେଲେ ପ୍ରଶାସନର ନିର୍ମାଣ କାର୍ଯ୍ୟକୁ ଉଭୟ ପକ୍ଷ କେଉଁ ପ୍ରକାର ସହଯୋଗ କରୁଛନ୍ତି, ସେ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏହାର ସମାଧାନ ଆବଶ୍ୟକ ରହିଥିବା ବେଳେ ସଠିକ୍ ଢଙ୍ଗରେ ସମାଧାନ ହୋଇପାରିଲେ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଓଡ଼ଗାଁ ତହସିଲ ପ୍ରଶାସନ ଏହି ଶ୍ରେୟର ଅଧିକାରୀ ହୋଇପାରିବେ !

Leave A Reply

Your email address will not be published.