ଇନିସିଏଟିଭ୍ ଫର ମୋରାଲ ଆଣ୍ଡ କଲଚରାଲ୍ ଟ୍ରେନିଂ ଫାଉଣ୍ଡେସନ ର ଦ୍ୱିତୀୟ ସଂସ୍କରଣ ‘ଭଏସ୍ ଅଫ୍ ୟୁନିଟି’
ଭୁବନେଶ୍ୱର ଗତ ବର୍ଷ ଭଳି ଏ’ ବର୍ଷ ମଧ୍ୟ ଆଇ.ଏମ୍.ସି.ଟି., ଓଡ଼ିଶା ଆନୁକୂଲ୍ୟରେ ଆସନ୍ତା କାଲି ଅର୍ଥାତ ୧୨/୧୨/୨୦୧୭ ତାରିଖ, ମଙ୍ଗଳବାର, ସକାଳ ସାଢେ଼ ଆଠଟା ଠାରୁ ସାଢେ଼ ଦଶଟା ପର୍ଯ୍ୟନ୍ତ ଭୁବନେଶ୍ୱର, ଶିରୀପୁରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ହେବାକୁ ଯାଉଥିବା ‘ଏକତାର ସ୍ୱର’ ର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ପ୍ରାୟ ୫୦, ୦୦୦ ରୁ ଅଧିକ ଛାତ୍ରଛାତ୍ରୀ ସାମୂହିକ ଭାବେ ଜାତୀୟ ଗୀତ, ‘ବନ୍ଦେ ମାତରଂ’ ଗାନ କରିବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି । ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତପର୍ଯ୍ୟାୟ ରେ ପହଂଚିଛି ! ମେଜର ଜେନେରାଲ୍ ଗଗନଦୀପ୍ ବକ୍ସି (ସେବା ମେଡ଼ାଲ, ବିଶିଷ୍ଟ ସେବା ପଦକ)ଙ୍କ ଭଳି ବହୁ ପ୍ରଥିତଯଶା ଦେଶଭକ୍ତବୃନ୍ଦ ଛୋଟ ପିଲାଙ୍କ ହୃଦୟରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା ଏହି ଅନନ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାପାଇଁ ସଦୟ ସ୍ୱୀକୃତି ଦେଇଥିବାର ପ୍ରକାଶ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ! ଜାତୀୟ ଗୀତ ବନେ୍ଦ ମାତରଂ ସମ୍ପର୍କରେ ମୁଖ୍ୟବକ୍ତାଙ୍କର ସୂଚନା ପରେ ବିଶିଷ୍ଟ ସଙ୍ଗୀତକାର ଶ୍ରୀ ମନ୍ମଥ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ତତ୍ପରେ ପରିବେଶ ସନ୍ତୁଳନ, ପର୍ଯ୍ୟାବରଣ ସୁରକ୍ଷା, ବନ ଓ ବଣ୍ୟଜନ୍ତୁ ସଂରକ୍ଷଣ, ମାନବୀୟ ଏବଂ ପାରିବାରିକ ମୂଲ୍ୟବୋଧର ସଂରକ୍ଷଣ, ନାରୀ ସମ୍ମାନକୁ ପ୍ରୋତ୍ସାହନ ତଥା ଦେଶଭକ୍ତି ଜାଗରଣ ପ୍ରଭୃତି ଆଇଏମ୍ସିଟିର ସମସ୍ତ ବିଷୟବସ୍ତୁର ପରିପାଳନ ନିମନ୍ତେ ଉପସ୍ଥିତ ସଭାସଦ୍ ଓ ଛାତ୍ରଛାତ୍ରୀ ମାନଙ୍କର ଶପଥ ପାଠ କାର୍ଯ୍ୟକ୍ରମ ରହିଛି । ଶେଷରେ ସମସ୍ତଙ୍କ ସହ ପ୍ରାୟ ୫୦,୦୦୦ ଛାତ୍ରଛାତ୍ରୀ ସମବେତ କଣ୍ଠରେ ବନ୍ଦେ ମାତରଂ ଗାନ କରିବାର କାର୍ଯ୍ୟକ୍ରମ ରହିଛି । ବହୁ ସଂଖ୍ୟାରେ ଉପସ୍ଥିତ ରହି ଆଇଏମ୍ସିଟି ଓଡ଼ିଶାର ଏହି ଦେଶଭକ୍ତି ଭିତିକ କାର୍ଯ୍ୟକ୍ରମକୁ ବିପୁଳ ଭାବେ ସାଫଲ୍ୟମଣ୍ଡିତ କରିବାକୁ ଫାଉଣ୍ଡେସନର ଓଡ଼ିଶା ଚାପ୍ଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନିଲ ଧିର, ଦେବପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।