ଜିଲାପାଳ ନିଜ କ୍ଷମତାର ଅପବ୍ୟବହାର ମାଧ୍ୟମରେ ଜିଲାରେ ଅସ୍ଥିରତା ସୃଷ୍ଟି କରାଇବାର ଉଦ୍ୟମ!!!!!!!
ବାରିପଦା/DILLIP MOHANTY- ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲା ମୟୂରଭଞ୍ଜର ଶାନ୍ତ ସରଳ ଅଧିବାସୀଙ୍କ ମଧ୍ୟରେ ସମସ୍ତ ଆଇନ କାନୁନୁକୁ ଫୁ… ମାରି ଜିଲାପାଳ ଜିଲାରେ ଶାନ୍ତି ଭଙ୍ଗ କରାଇ ଅସ୍ଥିରତା ସୃଷ୍ଟି ନିମନ୍ତେ ଉଦ୍ୟମ ଚଳାଇଛନ୍ତି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।
ପ୍ରଥମେ ମୟୂରଭଞ୍ଜ ଜିଲା ଭାଜପାର ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଜିଲାପାଳ ସୁରେନ୍ଦ୍ର କୁମାର ମୀନା କୁଳିଅଣା ମିଳିତ ଜନଶୁଣାଣି ଶିବିରରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା । ଜିଲାପରିଷଦ ବୈଠକରେ ଜିଲାପାଳ ଶ୍ରୀମୀନା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇ ଥିଲା । ଏଥି ସହିତ ଭାଜପା ଜିଲାପାଳ ଶ୍ରୀମୀନାଙ୍କ ବିରୋଧରେ ଫଜଦାରୀ ମାମଲା ରୁଜୁ କରାଯାଇ ତାଙ୍କର ଗିରଫଦାରୀ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସାକ୍ଷାତ କରି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାପରେ ବର୍ତ୍ତମାନ ସମସ୍ତ ଆଇନ କାନୁନକୁ ଅଣଦେଖା କରି ଜିଲାପାଳଙ୍କ ରେସରେ ବାରିକ କାର୍ଯ୍ୟ କରିବାକୁ ଆସୁଥିବା ଯୁବକଙ୍କୁ ବାରିପଦା ପୌରପରିଷଦର ଦୋକାନ ଗୃହ ବଣ୍ଟନକୁ ନେଇ ଜିଲାପାଳ ଶ୍ରୀମୀନା ଅଧିକ ବିବାଦୀୟ ହୋଇପଡ଼ିଛନ୍ତି ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ଭଞ୍ଜପୁରସ୍ଥିତ ମାର୍କେଟ କମ୍ପେ୍ଲକ୍ସର ଏ ବ୍ଲକରେ ରୁମ ନମ୍ବର ୨୨କୁ ୱାଡର଼୍ ନମ୍ବର ୧୧ ନହରପଦାବାସୀ ବାସନ୍ତୀ ମଞ୍ଜରୀ ଦାସଙ୍କୁ ଓ ରୁମ ନଂ-୨୪ ଶିବ କୁମାର ମାଝିଙ୍କୁ ପୌରପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା । ଉକ୍ତ ଦୋକାନକୁ ନେଇ ଥିବା ବ୍ୟକ୍ତିମାନେ ପୌରପରିଷଦକୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ପ୍ରାପ୍ୟ ପୈଠ କରିସାରିଥିବା ବେଳେ ପୌରପରିଷଦର କାଉନସିଲକୁ ଅନ୍ଧକାର ମଧ୍ୟରେ ରଖି ହଠାତ୍ ଏହି ଦୁଇଟି ଦୋକାନ ଗୃହକୁ ଅନନ୍ତ ଦାସ ଓରଫ ଲୁଲୁ ବାରିକ ଏବଂ ସତ୍ୟାନନ୍ଦ ବାରିକଙ୍କୁ ପ୍ରଦାନ କରାଯାଇଛି । ଯାହାକୁ କେନ୍ଦ୍ର କରି ପୌର ନିର୍ବାହୀ ଅଧିକାରୀ ଓ ପୌରପରିଷଦର କାଉନସିଲ ସଦସ୍ୟମାନଙ୍କ ମଧ୍ୟରେ ସିଧାସଳଖ ଲଢ଼ାଇ ଆରମ୍ଭ ହୋଇସାରିଛି । ପରଦାର ପଛ ପଟର ନାୟକ ଭାବେ ଜିଲାପାଳଙ୍କର ନାମ ଚର୍ଚ୍ଚା ପରିସରକୁ ଆସିଛି ।
ଜିଲାପାଳଙ୍କ ରେସକୁ ଯାଉଥିବା ସତ୍ୟାନନ୍ଦ ଓ ଲୁଲୁ ଗତ ନଭେମ୍ବର ମାସରେ ଦୋକାନ ଗୃହ ନେବାକୁ ଜିଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଏହି ଆବେଦନ ପତ୍ର ଉପରେ ତଦନ୍ତ କରି ବିଚାରକୁ ନେବା ପାଇଁ ଜିଲାପାଳ ଶ୍ରୀମୀନା ପୌର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂଙ୍କ ନିକଟକୁ ପଠାଇ ଦେଇଥିଲେ । ନିର୍ବାହୀ ଅଧିକାରୀ ତଦନ୍ତ କରି ପୌରପରିଷଦ ପକ୍ଷରୁ ବାସନ୍ତୀ ମଞ୍ଜରୀ ଦାସଙ୍କୁ ପ୍ରଦାନ କରାଯାଇ ଥିବା ଭଞ୍ଜପୁରସ୍ଥିତ ମାର୍କେଟ କମ୍ପେ୍ଲକ୍ସର ବ୍ଲକ-ଏ ରୁମ ନମ୍ବର ୨୨ ଓ ଶିବ କୁମାର ମାଝିଙ୍କୁ ପ୍ରଦାନ କରାଯାଇଥିବା ରୁମ ନଂ-୨୪ ଦୋକାନ ଗୃହ ବଣ୍ଟନ ସମୟରେ କରିଥିବା ଚୁକ୍ତିନାମାର ଉଲ୍ଲଙ୍ଘନ ଅଭିଯୋଗ ଆଣି ଏକ ସୋକଜ ନୋଟିସ ଜାରି କରିଥିଲେ ଏବଂ ସେମାନେ ନୋଟିସର ଜବାବ ମଧ୍ୟ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ମାତ୍ର ଉଭୟ ପକ୍ଷମାନଙ୍କ ମଧ୍ୟରେ କୌଣସି ହିଅରିଂ କରା ନ ଯାଇ ପୌର ନିର୍ବାହୀ ଅଧିକାରୀ ଉଦେ୍ଧଶ୍ୟ ମୂଳକ ଭାବେ ଏକତରଫା ବିଚାର କରି ଆବେଦନକାରୀ ସତ୍ୟାନନ୍ଦ ବାରିକ ଓ ଲୁଲୁ ବାରିକଙ୍କ ନାମରେ ଦୁଇଟି ଦୋକାନ ଗୃହକୁ ଏଲଟ କରାଇ ଦେଲେ । ଏଥି ସହିତ ବିପକ୍ଷକୁ କୌଣସି ଅପିଲ କରିବାକୁ ସମୟ ନ ଦେଇ ପୌରପରିଷଦ ଆଇନ କାନୁନକୁ ତର୍ଜମା ନ କରି ଓ ପୌରପରିଷଦର ନିର୍ବାଚିତ କାଉନସିଲ ବଡ଼ିର ବିନା ଅନୁମୋଦନ ସହିତ ସେମାନଙ୍କ ଅଗୋଚରରେ ସତ୍ୟାନନ୍ଦ ବାରିକ ଓ ଲୁଲୁ ବାରିକଙ୍କଠାରୁ ଦୋକାନ ଗୃହ ବାବଦରେ ଏଗ୍ରିମେଣ୍ଟ ମଧ୍ୟ କରାଇ ନେଲେ । ପୌରପରିଷଦର ନିର୍ବାଚିତ କାଉନସିଲ ବଡ଼ି କାନରେ ଏହି କଥା ପଡ଼ିବା ପରେ ଏହା ସେମାନଙ୍କ ନିମନ୍ତେ ଏକ ମସ୍ତ ବଡ଼ ଅପମାନ ବୋଲି ଅନୁଭବ କରି କାଉନସିଲରମାନଙ୍କର ଏକ ଜରୁରୀ ବୈଠକ ନଗରପାଳଙ୍କପ୍ରକୋଷ୍ଠରେ ପୌରପାଳ ବବିତା ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏଥି ସହିତ ଆସନ୍ତା ଶୁକ୍ରବାର ମଧ୍ୟ ଏକ ଜରୁରୀ ବୈଠକ ବସି କାଉନସିଲରେ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହି ସମସ୍ତ ଘଟଣାକୁ ନେଇ ଆମର ମୟୂରଭଞ୍ଜ ଜିଲା ପ୍ରତିନିଧି ପୌର ନିର୍ବାହୀ ଅଧିକାରୀ ଶ୍ରୀମାନସିଂଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିବାରୁ ପୌରପରିଷଦର ନିର୍ବାଚିତ କାଉନସିଲ ବଡ଼ିର ଅନୁମୋଦନ ନେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ । ଦୋକାନ ଗୃହ ବଣ୍ଟନ ସମୟରେ ନିର୍ବାହୀ ଅଧିକାରୀଙ୍କ ସହିତ ସେମାନେ ଚୁକ୍ତି କରିଥିଲେ । ତେଣୁ ଦୋକାନ ଗୃହର ଚୁକ୍ତି ବାତିଲ କରିବା ମଧ୍ୟ ତାଙ୍କର କାର୍ଯ୍ୟ । ସେ କୌଣସି ଆଇନକୁ ଉଲ୍ଲଙ୍ଘନ କରିନାହାନ୍ତି ବୋଲି କହୁଥିବା ବେଳେ ନଗରପାଳ ବବିତା ଦାସ ପୌର ନିର୍ବାହୀ ଅଧିକାର ସୁବାଶିଷ ମାନସିଂ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି । ଯାହା ସବୁ କରିଛନ୍ତି ସମସ୍ତ ବେଆଇନ । ଆମେ ଆଇନକାନୁନକୁ ଭଲ ଭାବେ ତର୍ଜମା କରି ସାରିଛୁ । ସତ୍ୟାନନ୍ଦ ବାରିକ ଓ ଲୁଲୁ ବାରିକଙ୍କୁ ଦୋକାନ ଗୃହ ବଣ୍ଟନ ଓ ଚୁକ୍ତିନାମା ସ୍ୱାକ୍ଷର କରାଇବା ଆଦି ସମସ୍ତ କ୍ଷେତ୍ରରେ ଆଇନକୁ ଉଲ୍ଲଙ୍ଘନ କରାଯାଇଛି । ଏଥି ନିମନ୍ତେ ତାଙ୍କୁ ଭବିଷ୍ୟତରେ ବହୁ ମୂଲ୍ୟ ଦେବାକୁ ହେବ ବୋଲି କହିଥିଲେ । ପୁଣି ପୌରପରିଷଦର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେକଡର଼୍ ପତ୍ରକୁ ନିଜ ଦଖଲରେ ରଖିଛନ୍ତି । କେତେକ ଫାଇଲ ଅନୁଧ୍ୟାନ କରିବାକୁ ଫାଇଲ ପୁଟଅପ କରିଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳୁ ନାହିଁ । ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ ଏକ ଛତ୍ରବାଦ ଶାସନର ଉଦ୍ୟମ । ତାଙ୍କର ଏହି ପ୍ରକାରର କାର୍ଯ୍ୟକଳାପ ପୌରପରିଷଦରେ ଶାନ୍ତି ଭଙ୍ଗ କରିପକାଇଛି । ସହରବାସୀଙ୍କ ମଧ୍ୟରେ ଅଶାନ୍ତିର ବାତାବରଣ ଖେଳାଇ ଦେଇଛି । ଭବିଷ୍ୟତରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କାରଣ ପାଲଟି ଯିବ । ପୌର ନିର୍ବାହୀ ଅଧିକାରୀ ଓ କାଉନସିଲ ମଧ୍ୟରେ ସମନ୍ୱୟ ନ ରଖି ଶାସନ କରିବା ପଛରେ କେଉଁ କାରଣ ରହିଛି, ତାହା ସମସ୍ତ ପୌରବାସୀ ହୃଦୟଙ୍ଗମ କରିସାରିଛନ୍ତି । ପୌରପରିଷଦର କାଉନସିଲ ବଡ଼ି ଜନସାଧାରଣଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ସ୍ୱାଧୀନ ବଡ଼ି । ଆମର କ୍ଷମତା କେତେ ଆମେ ଭଲ ଭାବେ ଜାଣିଛୁ । ପୌରପରିଷଦ ଶାସନର ଆଇନ ବ୍ୟବସ୍ଥାରେ ଜିଲାପାଳଙ୍କର କ୍ଷମତାକୁ ମଧ୍ୟ ତର୍ଜମା କରିଛୁ ବୋଲି ନଗରପାଳ ଶ୍ରୀମତୀଦାସ କ୍ଷୋଭର ସହିତ କହିଥିଲେ ।