ମୁକ୍ତିଲାଭ କଲା ଭଞ୍ଜସେନାର ସଚେତନ ଧର୍ମୀ ଚଳଚିତ୍ର “ଆନ୍ଦୋଳନ”

2

ପର୍ଯ୍ୟଟନର ବିକାଶ ଦ୍ୱାରା ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ବିକାଶ ସମ୍ଭବ

ବାରିପଦା ୨୦/୦୮:-ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହେଲେ ବେକାରୀ ସମସ୍ୟା ସମାଧାନର ନୂଆ ବାଟ ବାହାରିବ ଏବଂ ଶିମିଳିପାଳ ବଞ୍ଚିଲେ ଆମେ ବଂଚିବା, ଏଭଳି ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ଭଞ୍ଜସେନା ପକ୍ଷରୁ ନିର୍ମାଣ କରାଯାଇଥିବା ସଚେତନ ଧର୍ମୀ ଚଳଚିତ୍ର ଆନ୍ଦୋଳନ ଆଜି ବାରିପଦା ସହିଦ ସ୍ମୃତି ଭବନ ପ୍ରେକ୍ଷାଳୟ ରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦ୍ୱାରା ଶୁଭମୁକ୍ତି ଲାଭ କରିଛି |
ଶିମିଳିପାଳର ଆଭ୍ୟନ୍ତରୀଣ ଏକ ଗାଆଁର ଜଣେ ଯୁବକ ରତନ , ବି’ଟେକ ପଢି ସରିବା ପରେ ଗାଆଁ ମାଟିକୁ ଛାଡ଼ି ନପାରି କିଭଳି ବେକାର ହୋଇ ରହିଯାଇଛି ଏବଂ ସେହି ଗାଆଁ ରେ ରହୁଥିବା ଅନ୍ୟ ଯୁବକ ମାନେ ମଧ୍ୟ ରୋଜଗାର ଲାଗି ଡହଳ ବିକଳ ହୋଇ ଦାଦନ ଖଟିବାକୁ ବାହାରକୁ ଚାଲିଯାଉଛନ୍ତି. ତେବେ ଥରେ ଜଣେ ଇଂରେଜ ପର୍ଯ୍ୟଟକ ଶିମିଳିପାଳ ଓ ମୟୂରଭଞ୍ଜର ଅନ୍ୟ ସ୍ଥାନ ବୁଲିବାକୁ ଆସିଥିବା ବେଳେ ଇଂରାଜୀ କହି ପାରୁଥିବା ରତନକୁ ନିଜ ସାଙ୍ଗରେ ଗାଇଡ ଭାବରେ ନେଇ ତାଙ୍କୁ 20 ହଜାର ଟଙ୍କା ପାରିଶ୍ରମିକ ଭାବରେ ଦେବା ପରେ ରତନ ଗାଆଁର ଅନ୍ୟ ବେକାର ଯୁବକ ଯୁବତୀଙ୍କୁ ପର୍ଯ୍ୟଟନ ମାଧ୍ୟମରେ ବିଭିନ୍ନ ବର୍ଗର ଲୋକେ କିଭଳି ସ୍ବାବଲମ୍ବୀ ହୋଇ ପାରିବେ ସେ ବିଷୟରେ ସଚେତନ କରିବା ସହିତ ଜିଲ୍ଲାର ବେରୋଜଗାର ଯୁବପିଢୀ ପର୍ଯ୍ୟଟନର ବିକାଶ ଲାଗି କିଭଳି ଏକ ଆନ୍ଦୋଳନ ଆରମ୍ଭ କରିଛନ୍ତି, ସେହି ବିଷୟ ବସ୍ତୁ ଉପରେ ସିନେମା ଟି ପର୍ଯ୍ୟବେଶିତ. ସିନେମାର ପରିକଳ୍ପନା ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କରିଥିବା ବେଳେ ନିର୍ଦ୍ଦେଶନା ରାଜା ମିଶ୍ର ଦେଇଛନ୍ତି. ସମସ୍ତ କଳାକାର ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ ରତନ ଭୂମିକା ରେ ଅଭିନେତା ତାପୋଷ ପାଢ଼ୀଙ୍କ ଅଭିନୟ ସମସ୍ତଙ୍କୁ ଭାବ ବିହ୍ୱଳ କରିଥିଲା. ତେବେ ମୟୁରଭଞ୍ଜରେ ଥିବା ପର୍ଯ୍ୟଟନର ଅସରନ୍ତି ଉତ୍ସ ର ବିକାଶ ହୋଇପାରିଲେ ଜିଲ୍ଲା ତଥା ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ବିକାଶ ସମ୍ଭବ ହୋଇପାରିବ ବୋଲି ଭଞ୍ଜ ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଅଧ୍ୟକ୍ଷ ସଂଜୀବ ରାଉତ ପ୍ରମୁଖ ପ୍ରତିକ୍ରିୟାରେ କହିଛନ୍ତି.

Leave A Reply

Your email address will not be published.