ଶରଣକୁଳ ଲଡୁକେଶ୍ୱର ମହାଦେବଙ୍କ ପୀଠରେ ଦଶାନନଙ୍କ ଦର୍ଶନ

3


କୈଳାସ ପର୍ବତ ଉଠାଇବାକୁ ଉଦ୍ୟମ କରି ଶିବଙ୍କ ଚାପରେ ଚାପି ହୋଇଥିଲେ ରାବଣ,

ଓଡ଼ଗାଁ, ୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳସ୍ଥିତ ଭଣ୍ଡାର ପାହାଡ଼ର ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ଲଡୁକେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ସନ୍ଧ୍ୟାରେ ଏକ ଆକର୍ଷଣୀୟ ପୌରାଣିକ ଦୃଶ୍ୟ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। କୈଳାସ ପର୍ବତକୁ ଉପାଡ଼ି ନେବାକୁ ଉଦ୍ୟମ କରୁଥିବା ଲଙ୍କାଧିପତି ଦଶାନନ ରାବଣ ଲଡୁବାବା ମହାଦେବଙ୍କ ଚାପରେ ପର୍ବତ ତଳେ ଚାପି ହୋଇଥିବାର ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲା। ଏହି ଅବସରରେ ମନ୍ଦିର ପରିସର ବାହାରେ ଆୟୋଜିତ ଭାଗବତ ପାରାୟଣ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ପୌରାଣିକ କଥାବସ୍ତୁ ଅନୁଯାୟୀ, ଶିବଙ୍କଠାରୁ ବରପ୍ରାପ୍ତି ଆଶାରେ ରାବଣ ଦୀର୍ଘଦିନ ଧରି କଠୋର ତପସ୍ୟା କରିଥିଲେ। ମାତ୍ର ତାଙ୍କ ମନୋବାଞ୍ଛା ପୂରଣ ନହେବାରୁ ସେ କ୍ରୋଧିତ ହୋଇ ଶିବଙ୍କ ଆସ୍ଥାନ କୈଳାସ ପର୍ବତକୁ ଉପାଡ଼ି ଫିଙ୍ଗି ଦେବାକୁ ଉଦ୍ୟମ କରିଥିଲେ। ରାବଣଙ୍କ ଅହଙ୍କାର ଦମନ କରିବା ପାଇଁ ମହାଦେବ ନିଜ ପାଦର ଚାପରେ କୈଳାସ ପର୍ବତକୁ ଚାପି ଦେଇଥିଲେ। ଫଳରେ ରାବଣ ପର୍ବତ ତଳେ ଚାପି ହୋଇ ନିଜ ଭୁଲ୍ ବୁଝିପାରିଥିଲେ ଏବଂ ଲଜ୍ଜିତ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ପୌରାଣିକ ଘଟଣା ମାଧ୍ୟମରେ ଅହଙ୍କାରର ପରିଣାମ ଏବଂ ସମର୍ପଣ ଭାବନାର ମହତ୍ତ୍ୱ ପ୍ରତିଫଳିତ ହୋଇଛି। ଈଶ୍ୱରଙ୍କ ନିକଟରେ ଅହଙ୍କାର ନୁହେଁ, ବରଂ ନିଷ୍ଠା, ଭକ୍ତି ଓ ସମର୍ପଣ ହିଁ ଶ୍ରେଷ୍ଠ। କେବଳ ଈଶ୍ୱରଙ୍କ ନିକଟରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅହଙ୍କାର ତ୍ୟାଗ କରି ନମ୍ରତା ଓ ସଦ୍‌ଭାବନାର ସହିତ ଜୀବନଯାପନ କରିବା ଉଚିତ। ଲଡୁବାବାଙ୍କ ଏହି ଦର୍ଶନରୁ ଶ୍ରଦ୍ଧାଳୁମାନେ ଏହି ମହତ୍ତ୍ୱପୂର୍ଣ୍ଣ ଜୀବନବାର୍ତ୍ତା ଗ୍ରହଣ କରିପାରିଲେ, ତାହା ହିଁ ହେବ ପ୍ରକୃତ ଭକ୍ତି, ପୂଜା ଓ ଉପାସନାର ସାର୍ଥକତା।

Leave A Reply

Your email address will not be published.