ଶ୍ରୀ ରଘୁନାଥ ଜିଉଙ୍କ ପଞ୍ଚୁକ ପର୍ବ ଉଦ୍‌ଯାପିତ

3


କଳା ଓ ଧଳା ଘୋଡ଼ାରେ କାଞ୍ଚି ଅଭିଯାନ ବେଶ ମନମୁଗ୍ଧକର


ଓଡ଼ଗାଁ, ୨୪।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପଞ୍ଚୁକ ପର୍ବର ଅନ୍ତିମ ଦିବସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଶ୍ରୀ ରଘୁନାଥ ଓ ଲକ୍ଷ୍ମଣଙ୍କ କଳା ଓ ଧଳା ଘୋଡ଼ାରେ କାଞ୍ଚି ଅଭିଯାନ ବେଶ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା।
ମଙ୍ଗଳବାର ପ୍ରାତଃକାଳରେ ଅବକାଶ ନୀତି ପରେ ଠାକୁରଙ୍କର ସମସ୍ତ ପାରମ୍ପରିକ ନୀତିକାନ୍ତି ଓ ବେଶ କାର୍ଯ୍ୟ ସମାପନ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଦ୍ୱାର ଖୋଲାଯାଇଥିଲା। ପାଳିଆ ପଣ୍ଡା ବେଣୁଧର ନନ୍ଦଙ୍କ ଦ୍ୱାରା ଆରତି ନୀତି ସମ୍ପନ୍ନ ହୋଇଥିଲା। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋର ସମୟରୁ ହଜାର ହଜାର ସ୍ଥାନୀୟ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା ସହ ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶହ ଶହ ବସ୍‌ ଓ ଚାରିଚକିଆ ଯାନରେ ଭକ୍ତମାନେ ଆସି ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। ମନ୍ଦିର ପରିସରରେ ଦିନତମାମ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପୁରାଣ ବର୍ଣ୍ଣିତ କଥାବସ୍ତୁ ଅନୁଯାୟୀ, ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କୁ କାଞ୍ଚି ଅଭିଯାନରେ ସହାୟତା କରିବା ପାଇଁ ପ୍ରଭୁ ଶ୍ରୀ ରଘୁନାଥ ଧଳା ଘୋଡ଼ାରେ ଏବଂ ଲକ୍ଷ୍ମଣ କଳା ଘୋଡ଼ାରେ ଆରୋହଣ କରି ଯୁଦ୍ଧ ଅଭିଯାନରେ ବାହାରିଥିଲେ। ଏହି ପୌରାଣିକ ଘଟଣାକୁ ଆଧାର କରି ଅନୁଷ୍ଠିତ କାଞ୍ଚି ଅଭିଯାନ ବେଶ ସହ ମାଣିକ ଗଉଡ଼ୁଣୀଙ୍କଠାରୁ ଦହି ଖାଇବାର ମନୋରମ ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ବିଭୋର କରିଥିଲା। ଆଜି ସନ୍ଧ୍ୟାରେ ଠାକୁରମାନଙ୍କର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। କାର୍ତ୍ତିକ ପୂଜା କମିଟି ଓ ତ୍ରିନାଥ ଜିଉଙ୍କ ବାର୍ଷିକୋତ୍ସବ ଅବସରରେ ରଘୁନାଥ ଜିଉଙ୍କ ମନ୍ଦିର ସମ୍ମୁଖ ଦାଣ୍ଡରେ ଭକ୍ତଙ୍କ ଭିଡ଼ ଓ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ଏହା ଶ୍ରୀରାମ ନବମୀର ଉତ୍ସବମୟ ପରିବେଶର ଭ୍ରମ ସୃଷ୍ଟି କରିଥିଲା। ମନ୍ଦିର ପରିଚ୍ଛା, ସୁଆର ପରିଷଦ, ପୂଜକ ପରିଷଦର ସଭାପତି ଓ ମନ୍ଦିର ପରିଚାଳକଙ୍କ ତତ୍ତ୍ୱାବଧାନରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ସେହିପରି ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ମା’ ବୈଷ୍ଣୋଦେବୀ ମନ୍ଦିର, ଶରଣକୁଳର ପ୍ରସିଦ୍ଧ ଲଡ଼ୁବାବା ମନ୍ଦିର, ବାବା ଦୂତୀକେଶ୍ୱର ଓ କୁରାଳର ଦଧିବାମନ ଜିଉ ମନ୍ଦିର ସମେତ ବିଭିନ୍ନ ଦେବାଳୟରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପଞ୍ଚୁକ ପର୍ବ ପାଳିତ ହୋଇଯାଇଛି।

Leave A Reply

Your email address will not be published.