ପ୍ରଥମ ଦିନରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ
ଓଡ଼ଗାଁ, ୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ଓଡ଼ଗାଁ ନିକଟ ଜାମୁପାଟଣାସ୍ଥିତ ଶୂଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ପଶ୍ଚିମମୁଖା ବାବା ଦୂତୀକେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦୁଇଦିନିଆ ବାରେଡ଼ି ଯାତ୍ରା ଆରମ୍ଭ ହୋଇଛି। ଯାତ୍ରାର ପ୍ରଥମ ଦିନରେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଭକ୍ତିମୟ ହୋଇଉଠିଥିଲା ସମଗ୍ର ପୀଠ ପରିସର। ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଖୋଲାଯିବା ପରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମାନସିକଧାରୀ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ବାବାଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ମଝିରେ ମଝିରେ ବିଭିନ୍ନ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିଥିଲା। ଅପରାହ୍ନରେ ପ୍ରଭୁଙ୍କ ବିଜେ ପ୍ରତିମା ସୁସଜ୍ଜିତ ବିମାନରେ ବିଜେ କରିବା ପରେ ଘଣ୍ଟଘଣ୍ଟା, ବାଦ୍ୟ ଓ ପାରମ୍ପରିକ ଥାଟପଟୁଆର ସହ ଯାତ୍ରା ପଡ଼ିଆ ପରିକ୍ରମା କରିଥିଲେ। ସେଠାରେ ପ୍ରଭୁ ବିଶ୍ରାମ ନେଇଥିଲେ। ରାତିରେ ଏହି ପଡ଼ିଆରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ଭକ୍ତ ଓ ଭଗବାନଙ୍କ ସମ୍ମୁଖରେ ଏହି ନାଟକ ପରିବେଷିତ ହେବା ପରେ ବୁଧବାର ଠାକୁର ମନ୍ଦିରକୁ ବାହୁଡ଼ିବେ।
ଅନ୍ୟପକ୍ଷରେ ଯାତ୍ରା ପଡ଼ିଆରେ ବିଭିନ୍ନ ପ୍ରକାରର ପସରା ସାଙ୍ଗକୁ ଛାଡ଼ଖାଇ ପାଇଁ ପନିପରିବା, କୃଷି ଉପକରଣ ଓ ଯନ୍ତ୍ରପାତିର ବ୍ୟାପକ ବଜାର ଖୋଲିଛି। ଏଥିସହ ଆଗାମୀ ମାର୍ଗଶିର ମାସ ଗୁରୁବାର ପୂଜା ପାଇଁ ବେତରେ ପ୍ରସ୍ତୁତ ମାଣ ଓ ଡାଲାର ବିଭିନ୍ନ ପସରା ଶ୍ରଦ୍ଧାଳୁ ଓ ଗ୍ରାହକଙ୍କୁ ଆକର୍ଷିତ କରିଛି। ଯାତ୍ରା ପଡ଼ିଆର ଏହି ରଙ୍ଗବେରଙ୍ଗ ବଜାର ଓ ଜନସମାଗମ ବେଶ୍ ଆକର୍ଷଣୀୟ ହୋଇଥିଲା।