ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ‘ହର୍ ଘର୍ ତ୍ରିରଙ୍ଗା”, ମେଗା ରାଲି ଅନୁଷ୍ଠିତ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆଗାମୀ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ, ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ପତାକା ସମ୍ମାନାର୍ଥେ ଏକ ମେଗା ରାଲିର ଆୟୋଜନ କରାଯାଇଥିଲା।
ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ରୀନା ସାହୁ ଉଦଘାଟନ ଉତ୍ସବରେ ଛାତ୍ରୀମାନଙ୍କୁ ଜାତୀୟ ପତାକାର ମହତ୍ତ୍ଵ ସଂପର୍କରେ ଅବଗତ କରାଇ, ତିନିଶହରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କୁ ଜାତୀୟ ପତାକା ପ୍ରଦାନ ପୂର୍ବକ, ଛାତ୍ରୀଙ୍କ ଗହଣରେ ନଗର ପରିକ୍ରମା କରିଥିଲେ। ରାଲି ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଦୋଳବନ୍ଧ , ରାଜପ୍ରାସାଦ ଛକ , ରାଜଦାଣ୍ଡ , ହାଇସ୍କୁଲ୍ ଛକ , ଷ୍ଟେଟ୍ ବ୍ୟାଙ୍କ୍ , ବାଟଗୌଡ ସାହି , ଟ୍ରେଜେରି ଛକ ଦେଇ ପୁନଶ୍ଚ ମହାବିଦ୍ୟାଳୟରେ ସମାପ୍ତ ହୋଇଥିଲା।
ଛାତ୍ରୀମାନେ ଅନୁଷ୍ଠାନର ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ”ଭାରତମାତାକି ଜୟ”, ”ବନ୍ଦେମାତରଂ” ଏବଂ “ହର୍ ଘର୍ ତ୍ରିରଙ୍ଗା” ଧ୍ଵନି ଦେଇ ନଗର ପରିକ୍ରମା କରିଥିଲେ । ଏହି ରାଲି ନିରାପତ୍ତା କର୍ମୀଙ୍କର ସୁରକ୍ଷା ବଳୟ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଜିଲ୍ଲାର ସାମ୍ବାଦିକ ବନ୍ଧୁମାନେ ମଧ୍ୟ ରାଲିକୁ ବିପୁଳ ଭାବରେ ସମର୍ଥନ ଓ ସ୍ଵାଗତ କରିଥିଲେ । ଛାତ୍ରୀ ପ୍ରତିନିଧ୍ ସୁଶ୍ରୀ କଳ୍ପନା ନାଗବଂଶ ସାମ୍ବାଦିକ ମାନଙ୍କ ପ୍ରଶ୍ନୋତ୍ତରରେ ରାଲିର ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହିତ ସଂପ୍ରତି ସମାଜରେ ଦେଖା ଦେଉଥ‌ିବା ଅରାଜକତା , ଅହିଂସା ଓ ଅସହିଷ୍ଣୁତାକୁ ଦୂର କରି ଶାନ୍ତି , ମୈତ୍ରୀ , ପ୍ରୀତି ଓ ସଂହତି ତଥା ଭାତୃତ୍ଵ ଭାବକୁ ତ୍ରିରଙ୍ଗା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ କିପରି ଉଦ୍ରେକ କରିହେବ ସେ ବିଷୟରେ ନିଜର ମତ ରଖୁଥିଲେ ।
ରାଲି ଶେଷରେ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ “ସଂପୂର୍ଣ୍ଣତା ଅଭିଯାନ” ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଛାତ୍ରୀମାନେ ନିଜର ନାଗରିକତା ଦାୟିତ୍ଵ ତୁଲାଇବା ସହ ପଞ୍ଚାୟତ ସ୍ତରରେ ନିଜ ଗାଁରେ ଉପୁଜୁଥିବା ସମସ୍ୟାକୁ ନିଜେ କିପରି ସମାଧାନ କରିପାରିବେ ସେ ସମ୍ବନ୍ଧରେ ”ପିରାମଲ ଫାଉଣ୍ଡେସନ”ର ପ୍ରୋଗ୍ରାମ ଅଫିସର୍ ଶ୍ରୀଯୁକ୍ତ ଦେବବ୍ରତ ଆଚାର୍ଯ୍ୟ ଉଦ‌ବୋଧନ ଦେଇଥିଲେ । ସେହିପରି ଉକ୍ତ ଅନୁଷ୍ଠାନର ପ୍ରୋଗ୍ରାମ ଲିଡର୍‌ ସୁଶ୍ରୀ ବି. ଶ୍ରୀୟାଶ୍ରୀ ଛାତ୍ରୀମାନଙ୍କୁ ନାଗରିକ ସଚେତନତା ପ୍ରତି ଅବଗତ କରାଇଥିଲେ । ଉକ୍ତ ସଭାଟିକୁ ଅନୁଷ୍ଠାନର ଅଧ୍ଯକ୍ଷା ସଭାପତିତ୍ୱ କରିଥିବା ବେଳେ ସଭାଶେଷରେ ବରିଷ୍ଠ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଓ ଛାତ୍ରୀମାନଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Leave A Reply

Your email address will not be published.