ଯାତ୍ରୀ ସୁରକ୍ଷାରେ ଶୂନ୍ୟ ସହନଶୀଳତା ନୀତି! ନିୟମ ଉଲ୍ଲଂଘନରେ ‘ଚିକ୍‌ମିକ୍‌’ ବସ୍‌ ମାଲିକଙ୍କୁ ୧୧ହଜାର ଟଙ୍କାର ଚାଲାଣ

8


ଅଣ୍ଡରଟେକିଂ ପରେ ବି ଚେତିଲେନି ମାଲିକ; ଯାତ୍ରୀଙ୍କ ଅଧିକାର ଓ ସୁରକ୍ଷା ପ୍ରସଙ୍ଗରେ ଆରଟିଓଙ୍କ କଡ଼ା ଆଭିମୁଖ୍ୟ

ବେଲଗୁଣ୍ଠା,29/11:,-(ଶିବରାମ ଚୌଧୁରୀ )-ଯାତ୍ରୀଙ୍କ ସୁରକ୍ଷା, ନିର୍ଦ୍ଧାରିତ ବସ୍‌ ଭଡ଼ା ଏବଂ ସ୍ୱଚ୍ଛ ପରିବହନ ବ୍ୟବସ୍ଥାକୁ ନେଇ ଏବେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟରେ ପରିବହନ ବିଭାଗ। ସାଧାରଣ ଯାତ୍ରୀଙ୍କ ଅଧିକାର ସହ ଖେଳିବା କିମ୍ବା ପରିବହନ ନିୟମକୁ ଅଣଦେଖା କରିବା ଆଉ ସହ୍ୟ କରାଯିବ ନାହିଁ ବୋଲି ଗଞ୍ଜାମ ଆରଟିଓଙ୍କ ସଦ୍ୟତମ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ବାର୍ତ୍ତା ମିଳୁଛି।
ଯାତ୍ରୀଙ୍କଠାରୁ ଅଧିକ ବସ୍‌ ଭଡ଼ା ଆଦାୟ ଓ କଣ୍ଡକ୍ଟରଙ୍କ ଆଚରଣ ସମ୍ପର୍କିତ ପୂର୍ବ ଅଭିଯୋଗ ପରେ ଆରଟିଓଙ୍କ ନିକଟରେ ଲିଖିତ ଅଣ୍ଡରଟେକିଂ ଦେଇଥିବା ‘ଚିକ୍‌ମିକ୍‌’ ବସ୍‌ ମାଲିକଙ୍କ ବିରୋଧରେ ପୁଣି ନିୟମ ଉଲ୍ଲଂଘନ ଅଭିଯୋଗ ଆସିଛି। ଏହାକୁ ଗୁରୁତ୍ୱର ସହ ନେଇ ନଭେମ୍ବର ୨୬ ତାରିଖରେ ଗଞ୍ଜାମ ଆରଟିଓ ୧୧ ହଜାର ଟଙ୍କାର ଚାଲାଣ ଜାରି କରିଛନ୍ତି।
ପୂର୍ବରୁ ବସ୍‌ ମାଲିକ ଏସ୍‌. ସୁଦର୍ଶନ ପ୍ରୁଷ୍ଟି ନିଜ ହାତଲେଖା ଅଣ୍ଡରଟେକିଂରେ କଣ୍ଡକ୍ଟରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରି ଆରଟିଓଙ୍କ ନିର୍ଦ୍ଦେଶିତ ସମସ୍ତ ନିୟମ ତତ୍କାଳ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭବିଷ୍ୟତରେ ଏହି ନିର୍ଦ୍ଦେଶର ଉଲ୍ଲଂଘନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମଧ୍ୟ ଲିଖିତ ଭାବେ ଉଲ୍ଲେଖ କରିଥିଲେ।
କିନ୍ତୁ ନଭେମ୍ବର ୨୬ର ଚାଲାଣରେ ଟିକେଟ୍‌ ନଦେବା ଏବଂ କଣ୍ଡକ୍ଟରଙ୍କ ବୈଧ ଲାଇସେନ୍ସ ସମ୍ପର୍କିତ ଉଲ୍ଲଂଘନ ଦର୍ଶାଯିବା ଘଟଣା ମାଲିକଙ୍କ ପ୍ରତିଶ୍ରୁତିର ପାଳନକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।
ଚାଲାଣରେ ମୋଟ ତିନୋଟି ଉଲ୍ଲଂଘନ ଦର୍ଶାଯାଇ ୧୧ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଏଥିରେ କଣ୍ଡକ୍ଟରଙ୍କ ବୈଧ ଲାଇସେନ୍ସ ସମ୍ପର୍କିତ ଉଲ୍ଲଂଘନ ପାଇଁ ୧୦ ହଜାର ଟଙ୍କା ରହିଛି।
ପରିବହନ ବ୍ୟବସ୍ଥାରେ ନିୟମ କେବଳ କାଗଜପତ୍ରରେ ସୀମିତ ନୁହେଁ। ଟିକେଟ୍‌ ବିନା ଯାତ୍ରା, ଅନୁମୋଦିତ ଭଡ଼ାଠାରୁ ଅଧିକ ଆଦାୟ ଏବଂ ଯୋଗ୍ୟତା ନଥିବା କର୍ମଚାରୀଙ୍କ ନିଯୁକ୍ତି ସାଧାରଣ ଯାତ୍ରୀଙ୍କ ଅଧିକାର ଓ ସୁରକ୍ଷା ସହ ସିଧାସଳଖ ଜଡ଼ିତ। ତେଣୁ ଏଭଳି ଉଲ୍ଲଂଘନ ବିରୋଧରେ କଠୋର ଯାଞ୍ଚ ଓ ଆଇନଗତ ପଦକ୍ଷେପ ଅପରିହାର୍ଯ୍ୟ।
ଗଞ୍ଜାମ ଆରଟିଓଙ୍କ ଏହି ପଦକ୍ଷେପର ମୁଖ୍ୟ ବାର୍ତ୍ତା ହେଉଛି—ପୂର୍ବରୁ ସତର୍କ କରାଯାଇଥିଲେ ମଧ୍ୟ ଯଦି ନିୟମ ଉଲ୍ଲଂଘନ ଜାରି ରହେ, ତେବେ ଚାଲାଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ମିଳିବ ନାହିଁ। ଯାତ୍ରୀଙ୍କ ସୁରକ୍ଷା ଓ ଅଧିକାର ଉପରେ କୌଣସି ସାଲିସ୍‌ ନାହିଁ—ଏହି ଆଭିମୁଖ୍ୟ ଜିଲ୍ଲାର ସମସ୍ତ ବସ୍‌ ମାଲିକଙ୍କ ପାଇଁ ଏକ ସ୍ପଷ୍ଟ ଚେତାବନୀ।

Leave A Reply

Your email address will not be published.