ସରକାରୀ ଓକିଲ ଓ ପୋଲିସ ବିଭାଗ ସମନ୍ୱୟ ବୈଠକ

17

ସଠିକ ତଦନ୍ତ ଓ ତ୍ୱରିତ ନ୍ୟାୟ ପ୍ରଦାନକୁ ଗୁରୁତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂତନ ଅପରାଧିକ ଆଇନ ଆସିବା ପରେ ସମାଜରେ ବୃଦ୍ଧି ପାଉଥିବା ଅପରାଧର କିପରି ତ୍ୱରିତ ହ୍ରାସ ଘଟିବ ତଥା ସମସ୍ତ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ କଥାକୁ ଚିନ୍ତା କରି ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ସକ୍ରିୟ ନେତୃତ୍ୱରେ ତଥା ଆର. ଉଦୟଗିରି ସବ ଡିଭିଜନର ଏସ୍ଡିପିଓ ଆଇ.ପି.ଏସ. ରାକେଶ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଡବା ଥାନା ଅଞ୍ଚଳରେ ଆଜି ଏକ ପୋଲିସ୍-ଅଭିଯୋଜନ (ପ୍ରସିକ୍ୟୁସନ) ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଅଡବା ଥାନାର ଥାନାଧିକାରୀ ସନ୍ତୋଷ ବିଷୋୟୀ, ଅତିରିକ୍ତ ଥାନାଧିକାରୀ ନଳିନୀ କଁଅର , ଆର. ଉଦୟଗିରି ଥାନାଧିକାରୀ କଳ୍ପଲତା ପ୍ରଧାନ , ରାମଗିରି ଓ.ଆଇ.ସି. ଡ଼ି. ଗଜପତି ଦୋରା ଓ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ମୋହନା ଓ ଆର୍. ଉଦୟଗିରି କୋର୍ଟର ସରକାରୀ ଓକିଲ ଯଥାକ୍ରମେ ସୁଶାନ୍ତ ମଲ୍ଲିକ ଓ ଦୁର୍ଯ୍ୟୋଧନ କରଡ ଉପସ୍ଥିତ ରହିଥିଲେ।
ଗୌରହରି କରସୁଧା ପଟ୍ଟନାୟକ ପରିଚାଳିତ କରୁଥିବା ଉକ୍ତ ବୈଠକରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କେ. ତାତେୟା , ଏମ. ପୃଥ୍ୱୀରାଜ ମୁଖ୍ୟତଃ ଗଞ୍ଜେଇ ଚାଲାଣ ମାମଲା ତଥା ପୋସ୍କୋ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ କିପରି ସୁଧରାଯିବ, ସେ ସମ୍ପର୍କରେ ନିଜ ନିଜର ମତ ପୋଷଣ କରିଥିଲେ। ସେହିପରି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ ରଥ , କେ. ସନମୁଖ ରାଓ , ଏପିପି ଲକ୍ଷ୍ମୀ ପ୍ରସାଦ ଆଚାରୀ , ପଦ୍ମନାଭ ପତି ପ୍ରମୁଖ ବିଭିନ୍ନ ସଙ୍ଗିନ ମାମଲାରେ ଅଭିଯୋଜକ ତଥା ପୋଲିସ ବିଭାଗର କର୍ମଚାରୀମାନେ ନ୍ୟାୟାଳୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସେହିପରି ସହାୟକ ନିର୍ଦ୍ଦେଶକ ଡ଼ି. ଅନୁପରାଜ ଆଚାରୀ ପୋଲିସ ଅଧିକାରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହ ମାନ୍ୟବର ସୁପ୍ରିମକୋର୍ଟଙ୍କର ବିଭିନ୍ନ ଦିଶା ନିର୍ଦ୍ଦେଶ ଉପରେ ଧ୍ୟାନ ଦେଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ, ସେ ନେଇ ନିଜର ମତବ୍ୟକ୍ତ କରିଥିଲେ।
ସର୍ବଶେଷରେ ଏହି ବୈଠକର ସଫଳ ଆୟୋଜନ ନିମନ୍ତେ ଏସ୍ଡିପିଓ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହୋଇ ଜନହିତରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

Leave A Reply

Your email address will not be published.