ବାଣପୁର:(ସେକ କୌସର): ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍ ବସ୍ତାନି ବୋଝ ଦିନକୁ ଦିନ ବଢ଼ିଚାଲିଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍ ଏହାକୁ ମାନୁନଥିବା ନେଇ ଅଭିଯୋଗ ଆସିବା ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି।ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍ ଓଜନର ସ୍କୁଲ୍ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶ ନାମାରେ ସ୍ପଷ୍ଟ କରାଯାଇଛି। ଉଦାହରଣ ସ୍ୱରୂପ ୩୦ କିଲୋ ଓଜନର ଛାତ୍ରଛାତ୍ରୀମାନେ ୩କିଲୋରୁ କମ୍ ଓଜନର ସ୍କୁଲ୍ ବ୍ୟାଗ ନେବେ। ବିଇଓ ମାନେ ସେମାନଙ୍କ ବ୍ଲକ୍ର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଏ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ସୂଚନା ଜାରି କରିବାକୁ କୁହାଯାଇଛି। ଜୁଲାଇ ୩୦ ତାରିଖ ସୁଦ୍ଧା ପଦକ୍ଷେପ ସଂକ୍ରାନ୍ତରେ ରିପୋର୍ଟ ପ୍ରକଳ୍ପ ସଂଯୋଜକଙ୍କ ଅଫିସ୍କୁ ଜଣାଇବାକୁ ନିର୍ଦ୍ଦେଶ ନାମାରେ ସ୍ପଷ୍ଟ କରାଯାଇଛି।ଅନ୍ୟପକ୍ଷରେ ବିଇଓମାନେ ଆଜି ଏନେଇ ପ୍ରତ୍ୟେକ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲ୍ ବ୍ୟାଗ୍ ଓଜନ କମାଇବାକୁ ଶ୍ରେଣୀ ଶିକ୍ଷକମାନେ ଛାତ୍ର ଛାତ୍ରୀମାନେ କେଉଁ ବହି ଓ ଖାତା ଆଣିବେ ତାର ସୂଚନା ପୂର୍ବ ଦିନ ସଂଧ୍ୟାରୁ ପ୍ରଦାନ କରିବେ। ପ୍ରତ୍ୟେକ ସ୍କୁଲ୍ କର୍ତ୍ତୃପକ୍ଷ ପ୍ରବେଶ ଫାଟକ ନିକଟରେ ଓଜନ ମେସିନ୍ ରଖିବେ। ବ୍ୟାଗ୍ ଓଜନ କରିବା ପରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଛଡ଼ାଯିବ। ସେହିପରି କିଭଳି ସ୍କୁଲ୍ ବ୍ୟାଗରେ କମ୍ ବହି ରହିବ ସେଥିପାଇଁ ମଧ୍ୟ ମାର୍ଗଦର୍ଶିକାରେ ସୂଚନା ପ୍ରଦାନ କରାଯାଇଛି।ଏହି ନିର୍ଦ୍ଦେଶନାମା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନା ସେ ସଂକ୍ରାନ୍ତରେ ବିଇଓମାନେ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିବେ ଓ ନିୟମ ଉଲଂଘନ କରୁଥିବା ସ୍କୁଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିନରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଣପୁର ବିଇଓ ସନାତନ ଜାଲି ବାଣପୁର ସ୍ଥିତ ଦୁଇ ଗୋଟି ଘରୋଇ ବିଦ୍ୟାଳୟ ଯଥା ଲଡୁକେଶ୍ୱର ବିଦ୍ୟା ମନ୍ଦିର ଏବଂ ସେଣ୍ଟ ଜାଭିୟର ହାଇ ସ୍କୁଲ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏ ବାବଦରେ ସଚେତନ କରାଇବା ସହ ବିଭିନ୍ନ ବିଦ୍ୟାର୍ଥୀଙ୍କ ବ୍ୟାଗର ଓଜନ ଯାଞ୍ଚ ମଧ୍ୟ କରିଥିଲେ। ଉକ୍ତ ଯାଞ୍ଚରେ ବିଇଓ ଉଭୟ ବିଦ୍ୟାଳୟ ନିୟମ ମାନିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.