“ଶିଶୁବିକ୍ରୀ ଘଟଣା ସାରା ରାଜ୍ୟର ମଥାକୁ ଲଜ୍ୟାରେ ଅବନତ କରିଦେଇଛି”

3

ବଲାଙ୍ଗୀର/ଭୁବନେଶ୍ୱର ତା ୨୮/୭/୨୫ :- ଦାରିଦ୍ର୍ୟ, ଦାଦନ, ଅନାହାର ମୃତ୍ୟୁ, ଶିଶୁବିକ୍ରୀ ଇତ୍ୟାଦି ପାଇଁ ଜାତୀୟ ସ୍ତରରେ ଦୁର୍ନାମ ରଚିଥିବା କେଵିକେ ଅଞ୍ଚଳରେ ଘଟିଥିବା ଶିଶୁବିକ୍ରୀ ଘଟଣା ସାରା ରାଜ୍ୟର ମଥାକୁ ଲଜ୍ୟାରେ ଅବନତ କରିଦେଇଛି । ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ଼ ବ୍ଲକର ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଡୋର ଗାଁରେ ଘଟିଛି ଦାରିଦ୍ର କଷଣ ଜନିତ ଶିଶୁବିକ୍ରୀ ଘଟଣା ।
ଏହି ଖବର ଜାଣିବା ମାତ୍ରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ତୁରନ୍ତ ମିଡ଼ିଆ, ଯୋଗାଯୋଗ ଏବଂ ପ୍ରଚାର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ଅଧକ୍ଷତାରେ ଏକ ସତ୍ୟତା ଅନୁଧ୍ୟାନ ଟିମ ଗଠନକରି ଘଟଣା ସ୍ଥାନକୁ ଯିବାକୁ ନିର୍ଦେଶ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ଦାସ ଏବଂ ଉପସଭାପତି ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।
ଟିଟିଲାଗଡ଼ରେ ସାମ୍ୱାଦିକ ସମ୍ମିଳନୀକୁ ସୂଚନା ଦେଇ ଅଧ୍ୟକ୍ଷ ଶ୍ରୀ ଦାସ କହିଲେ ଯେ ଏହି ଶିଶୁବିକ୍ରୀ ଘଟଣାକୁ ଆମେ ପ୍ରଶାସନ ପ୍ରାୟୋଜିତ ଘଟଣା ବୋଲି କହି ପାରିବା କାରଣ ଶିଶୁକନ୍ୟା ବିକ୍ରୀ କରିଥିବା ପିତା ନିଜେ ସ୍ୱୀକାର କରିଛନ୍ତି ଯେ ସେ କୌଣସି ସରକାରୀ ଯୋଜନାର ଲାଭ ବର୍ତ୍ତମାନ ପର୍ଯ୍ୟନ୍ତ ପାଇନାହାନ୍ତି । ନୀଳ ରଣା ଜଣେ ଅତ୍ୟନ୍ତ ଗରିବ ବୋଲି ଖୋଦ ସରପଞ୍ଚ ଜାଣିବା ସହିତ ଗାଁ ଲୋକ ମଧ୍ୟ ଜାଣିଛନ୍ତି । ଏପରିକି ତାଙ୍କ ପୂର୍ବ ପତ୍ନୀଙ୍କ ନାମରେ ଥିବା ପିଡିଏସ(PDS) କାର୍ଡ ଜିଆରଏସଙ୍କ ପାଖରେ ବନ୍ଧା ପଡିଛି ତେଣୁ ନୂତନ ପରିବାର ଆଉ କାର୍ଡ ହୋଇ ପାରିବନି କହିଛନ୍ତି ଜିଆରଏସ ।
ପୂର୍ବତନ ବିଧାୟକ ଶ୍ରୀ ସାଲୁଜା ୨୦୦୨ ମସିହାର ଟିଟିଲାଗଡ଼ ବ୍ଲକ ଅଞ୍ଚଳ ପ୍ରେମଶୀଳା ଅନାହାର ମୃତ୍ୟୁ, ତାପର ତାଣ୍ଡି ଶିଶୁବିକ୍ରୀ ଘଟଣାର ଉଲ୍ଲେଖ କରି ପ୍ରଶାସନ ଓ ସରକାରଙ୍କ ଅବ୍ୟବସ୍ଥାକୁ ଖୁବ ନିନ୍ଦା କରିଥିଲେ । ନୀଳ ରଣା ବ୍ୟତୀତ ପାଖରେ ଥିବା କୌଣସି ଘର ପକ୍କା ନଥିବା କଥା ଉଲ୍ଲେଖ କରି ସରକାରୀ ଯୋଜନାରୁ ଅଧିକାଂଶ ଗ୍ରାମବାସୀ ବଞ୍ଚିତ ଅଛନ୍ତି ବୋଲି ସମାଲୋଚନା କରିଛନ୍ତି ।

ଶେଷରେ ଅଧ୍ୟକ୍ଷ ଶ୍ରୀ ଦାସ ଏକ ୪୭ ସେକେଣ୍ଡର କରୁଣ ଶିଶୁବିକ୍ରୀ ସମୟର ଭିଡିଓ ପ୍ରଦର୍ଶନ କରିଥିଲେ ଏବଂ ଟିଟିଲାଗଡ଼ ସଦର ଅଧ୍ୟକ୍ଷଙ୍କ ନାମରେ ପିଡିଏସ କାର୍ଡ ଥିବା ପ୍ରମାଣ ହେବା ସତ୍ୱେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ଏହି ଅନୁଧ୍ୟାନ ଦଳରେ ଅଧ୍ୟକ୍ଷ ଶ୍ରୀ ଦାସ ଏବଂ ପୂର୍ବତନ ବିଧାୟକ ସାଲୁଜାଙ୍କ ସମେତ ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀ ବୀରେନ୍ଦ୍ର ବାଗ, ନୂଆପଡା ବିଧାୟକ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ, ସାଂସଦ ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମାଝୀ, ବରିଷ୍ଠ କଂଗ୍ରେସ ନେତା ଭାରତ ଭୂଷଣ ନେମାଳ ଏବଂ କଂଗ୍ରେସ ନେତା ଗଣେଷ ସାହୁ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀ ଶେଷରେ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.