ବାହାଡାଝୋଲା ପିଏଚସି କୁ ସିଏଚସି କରିବା ସହିତ ବିଶେଷଜ୍ଞ ଓ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି

2

ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଳର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବାହାଡାଝୋଲା ଠାରେ ଅବସ୍ଥିତ କଷ୍ଟି ଡାକୁଆ ପିଏଚସି କୁ ସିଏଚସି ରେ ପରିଣତ କରିବା ସହିତ ଏଠାରେ ବିଶେଷଜ୍ଞ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବାହାଡାଝୋଲା ନିକଟସ୍ଥ ବିଭିନ୍ନ ଗ୍ରାମପଞ୍ଚାୟତ ଅଞ୍ଚଳର ପ୍ରତିନିଧି ମାନଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନେଇ ବାହାଡାଝୋଲା ନିକଟସ୍ଥ ଗ୍ରାମପଞ୍ଚାୟତ ହରିପୁର, ବେରୁଆଁବାରି, ସିଙ୍ଗାରପଲ୍ଲି, କାପ୍ତାପଲ୍ଲି ଓ ଗୁମି ଅଞ୍ଚଳର କେତେକ ଗ୍ରାମ ପ୍ରତିନିଧି ମାନେ ମିଳିତ ହୋଇ ବାହାଡାଝୋଲାରେ ଅବସ୍ଥିତ କଷ୍ଟି ଡ଼ାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଏକ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ । ସେଠାରେ ଥିବା ପୁରାତନ ହସ୍ପିଟାଲ ଓ ନୂତନ ନିର୍ମିତ ହସ୍ପିଟାଲ ଭବନ ସହ ଜଡିତ ବିଭିନ୍ନ ସମସ୍ୟା, ଚିକିତ୍ସକ ଓ କର୍ମଚାରୀ ଅଭାବ, ଔଷଧ ବିତରଣରେ ଅନିୟମିତତା ଓ ଆଶୁ ଚିକିତ୍ସା ସୁବିଧା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ଏବଂ ଯଥାଶୀଘ୍ର ନୂତନ ଭବନ ଚାଲୁ କରିବା, ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି, ନିୟମିତ ଔଷଧ ବିତରଣ ଓ ଟିକାକରଣ ବ୍ୟବସ୍ଥା ସହିତ
ରୋଗ ନିର୍ଣ୍ଣୟ ନିମନ୍ତେ ପ୍ୟାଥୋ ଲ୍ୟାବ ଏବଂ ବ୍ଲଡ୍ ବ୍ୟାଙ୍କ ସୁବିଧା ସହିତ ଅତି କମରେ ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ସୁବିଧା ଭଳି ୭ ଗୋଟି ମୁଖ୍ୟ ସୁବିଧା ଯୋଗାଇ ଦେବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା । ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜିଲ୍ଲା ମୁଖ୍ୟାଳୟ, ନୟାଗଡ
ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଆସନ୍ତା ଦିନରେ ଏହି ଲିଖିତ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦାବି ପୁରଣ ହେବାରେ ବିଳମ୍ବ ଦେଖାଦେଲେ ଆବଶ୍ୟକ କ୍ଷେତ୍ରରେ ସେମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.