ରାୟଗଡା/ସରୋଜ ସାହୁ :ଗୁଣିଗାରିଡି ସନ୍ଦେହରେ ହତ୍ୟା ଅଭିଯୋଗର ବିଚାରଣ କରି ୧୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ପଚିଶି ହଜାର ଟଙ୍କା ଲାଖାଏଁ ଅର୍ଥ ଦଣ୍ଡ ଦେବାକୁ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ ଦାଶ ମହାପାତ୍ର । ଉକ୍ତ ବିଚାରଣରେ ୧୯ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପୁରା ଘଟଣାରୁ ପକାଶ ଯେ, ଶେଷଖାଲ ଥାନା ଅନ୍ତର୍ଗତ ଚାଂଚଡା ଦ୍ରୁଗମ୍ ଗ୍ରାମର ଡେକିନା ତାଡିଙ୍ଗି ଓ ତାଙ୍କ ସ୍ତ୍ରୀ ଆନ୍ଦୁରି ତାଡିଙ୍ଗି ଦୁଇ ଜଣ ଗତବର୍ଷ ତା. ୧୮.୧୧.୨୦୧୭ ରିଖ ରାତ୍ର ୯ ଟା ସମୟରେ ଚାଷ କରିଥିବା ବାଡ ଜଗିବା ପାଇଁ ଯାଉଥିବା ସମୟରେ ସେହି ଗ୍ରାମର ବୁଲୁକି ତାଡିଙ୍ଗି, ଦଣ୍ଡାସି ତାଡିଙ୍ଗି, ନାରସାୟା ତାଡିଙ୍ଗି, କିସା ତାଡିଙ୍ଗି, ଯୋଗି ତାଡିଙ୍ଗି, ମୋହନ ତାଡିଙ୍ଗି, ସୁକ୍ରୁ ତାଡିଙ୍ଗି, ମନୋଜ ତାଡିଙ୍ଗି, ପ୍ରହଲାଦ ତାଡିଙ୍ଗି, ଗୁମ୍ଫା ତାଡିଙ୍ଗି, ଶଙ୍କର ତାଡିଙ୍ଗି, ନାଇଡା ତାଡିଙ୍ଗି, ଆନନ୍ଦ ତାଡିଙ୍ଗି ଓ କିଟା ତାଡିଙ୍ଗି ମିଶି ଗୁଣିଗାରିଡି କରୁଥିବା କହି ଠେଙ୍ଗା ସାହାଯ୍ୟରେ ନିସ୍ତୁକ ପିଟିଥିଲେ ସେତେବେଳେ ଡାକିନାର ସ୍ତ୍ରୀ ଅଟକାଇବାରୁ ତାକୁମଧ୍ୟ ଧମକାଇଥିଲେ । ଠେଙ୍ଗାରେ ବାଡେିବା ଦ୍ୱରା ଡାକିନା ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲା । ସେହି ସମୟରେ ଡାକିନାର ସ୍ତ୍ରୀ ଗାଁକୁ ଆସି ଘରେ ଏହି ବିଷୟରେ ଜଣାଇଥିଲା । ସେହି ସମୟରେ ଡାକିନାର ଭାଇ ପ୍ରଶାନ୍ତ ତାଡିଙ୍ଗି ଘଟଣା ସ୍ଥଳକୁ ଯାଇ ଦେଖିବା ବେଳକୁ ସେଠାରେ ଡାକିନାକୁ ଦେଖିବାକୁ ପାଇନଥିଲେ । ଖୋଜାଖୋଜି କରିବା ସମୟରେ ସେମାନେ ମଶାଣିରେ ଡାକିନାର ଶବ ପୋଡୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ଡାକିନାର ଭାଇ ତା. ୧୯.୧୧.୨୦୧୭ ରିଖ ଦିନ ଶେଷଖାଲ ଥାନାରେ ଭାଇର ହତ୍ୟା ବିଷୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଲା ପରେ ଶେଷଖାଲ ପୋଲିସ ଘଟଣା ସ୍ଥଳକୁ ଯାଇ ଡାକିନାର ଅଧାପୋଡା ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଶେଷଖାଲ ପୋଲିସ ଉକ୍ତ ହତ୍ୟା ଘଟଣାର ତଦନ୍ତ କରି ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିତରାଧିନ ଥିବା ବେଳେ ତା. ୨୪.୦୧.୨୦୧୯ ରିଖ ଦିନ ମାମଲାର ରାୟ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ଆଇନଜୀବୀ ମହେଶ୍ୱର ମହାପାତ୍ର ମାମଲାର ପରିଚାଳନା କରିଥିଲେ ।