ଭୁବନେଶ୍ୱର, ୩୦ ।୧୦: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ)ରେ ୨୦୨୬ ଏମ୍ବିବିଏସ୍ ଓ ବିଡିଏସ୍ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଶୁକ୍ରବାର ହ୍ୱାଇଟ୍ କୋଟ୍ ସମାରୋହ ଅନୁଷ୍ଠିତ ହୋଇଛି। ନବାଗତ ଏମ୍ବିବିଏସ୍ ଓ ବିଡିଏସ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଉପଲବ୍ଧ ସୁଯୋଗର ସର୍ବୋତ୍ତମ ଉପଯୋଗ କରିବା ସହ ନିଜର ସମଗ୍ର ବୃତ୍ତିଗତ ଜୀବନରେ ନିରନ୍ତର ଜ୍ଞାନ ଆହରଣ ପ୍ରତି ସମର୍ପିତ ରହିବାକୁ ପରାମର୍ଶ ଦେଇଥିଲେ। ନିଜ ପିଲାମାନଙ୍କ ଡାକ୍ତରୀ ଶିକ୍ଷା ପାଇଁ କିମ୍ସ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପିଲାଙ୍କ ଅଭିଭାବକମାନଙ୍କୁ ଶ୍ରୀ ସାମନ୍ତ କୃତଜ୍ଞତା ଜଣାଇଥିଲେ। ଏଥିସହ କିଟ୍ର ବିଭିନ୍ନ ସ୍କୁଲ୍ରେ ଉପଲବ୍ଧ ଜ୍ଞାନ, ଅଭିଜ୍ଞତା ଓ ଶିକ୍ଷାଗତ ସମ୍ବଳର ଉପଯୋଗ କରି ଛାତ୍ରଛାତ୍ରୀମାନେ ନିଜ ଜ୍ଞାନର ପରିସରକୁ ଆହୁରି ବ୍ୟାପକ କରିପାରିବେ ବୋଲି ସେ କହିଥିଲେ ।ସେ କହିଲେ, ଏହା ଜ୍ଞାନର ଯୁଗ। ତେଣୁ ପିଲାମାନେ ଜ୍ଞାନର ସର୍ବାଧିକ ଉପଯୋଗ କରନ୍ତୁ। ବର୍ତ୍ତମାନ ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସ୍ସି)ରେ ଅନେକ ସଫଳ ପ୍ରାର୍ଥୀ ଡାକ୍ତରୀ ପୃଷ୍ଠଭୂମିରୁ ଆସୁଥିବା ଉଦାହରଣ ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଡାକ୍ତରୀ ବୃତ୍ତିର ସୀମା ବାହାରେ ମଧ୍ୟ ବିଭିନ୍ନ ସୁଯୋଗ ଅନ୍ୱେଷଣ କରିବାକୁ ଉତ୍ସାହିତ କରିଥିଲେ।

କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ ଡାକ୍ତରୀ ବୃତ୍ତିକୁ ଏକ ଉତ୍କୃଷ୍ଟ ପେସା ଭାବେ ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜର ଶିକ୍ଷା ଜୀବନକୁ ଆନନ୍ଦର ସହ ଉପଭୋଗ କରିବାକୁ କହିଥିଲେ। ଜ୍ଞାନ ଆହରଣ ନିଜେ ଏକ ଆନନ୍ଦଦାୟକ ପ୍ରକ୍ରିୟା ହୋଇଥିବାରୁ ପାଠପଢ଼ାକୁ କେବଳ ଏକ ଦାୟିତ୍ୱ ଭାବେ ନ ଦେଖି ଆଗ୍ରହର ସହ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ସହ ସଫଳ ବୃତ୍ତିଜୀବୀ ହେବା ପାଇଁ ଆତ୍ମବିଶ୍ୱାସ ବିକଶିତ କରିବାକୁ ଡା. ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ। ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ଅଂଶ ହେବାର ସୁଯୋଗ ପାଇଥିବାରୁ ଏହାର ସଦୁପଯୋଗ କରିବାକୁ ମଧ୍ୟ ସେ ସେମାନଙ୍କୁ ମନେ ପକାଇ ଦେଇଥିଲେ। କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ଆର. ସି. ଦାସ ଡାକ୍ତରୀ ଶିକ୍ଷାରେ ପ୍ରବେଶକୁ ଛାତ୍ରଛାତ୍ରୀଙ୍କ ଜୀବନର ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟ ଭାବେ ଅଭିହିତ କରିଥିଲେ। ହ୍ୱାଇଟ୍ କୋଟ୍ ସମାରୋହ ଏକ ସ୍ମରଣୀୟ ମୁହୂର୍ତ୍ତ, ଯାହାକୁ ଛାତ୍ରଛାତ୍ରୀମାନେ ଜୀବନସାରା ମନେ ରଖିବେ ବୋଲି ସେ କହିଥିଲେ। ଧଳା କୋଟ୍କୁ କେବଳ ଏକ ପୋଷାକ ଭାବେ ନୁହେଁ, ବରଂ ନମ୍ରତା ଓ ସମାଜ ପ୍ରତି ଦାୟିତ୍ୱବୋଧର ପ୍ରତୀକ ଭାବେ ଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ତେବେ ପ୍ରଯୁକ୍ତିବିଦ୍ୟା ଯେପରି ସେମାନଙ୍କ ନିଷ୍ପତ୍ତିକୁ ନିୟନ୍ତ୍ରଣ ନ କରିବ, ବରଂ ସହାୟକ ଭାବେ କାର୍ଯ୍ୟ କରିବ, ସେଥିପ୍ରତି ସଚେତନ ରହିବାକୁ ସେ କହିଥିଲେ।
କିଟ୍ ସ୍କୁଲ୍ ଅଫ୍ ମେଡିସିନ୍ର ଉପକୁଳପତି ଡା. ସି.ବି.କେ. ମହାନ୍ତି ଯୁବ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ରୋଗୀଙ୍କ ପ୍ରତି ଦୟା, ସମ୍ବେଦନଶୀଳତା ଓ ସହାନୁଭୂତି ପ୍ରଦର୍ଶନ କରିବାକୁ କହିଥିଲେ। ଚିକିତ୍ସା କରିବା ସମୟରେ ସ୍ୱାସ୍ଥ୍ୟସେବାର ମାନବିକ ଦିଗକୁ କେବେ ଭୁଲି ନ ଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ହ୍ୱାଇଟ୍ କୋଟ୍ ସମାରୋହ ମାଧ୍ୟମରେ କିମ୍ସର ୨୦୨୬ ଏମ୍ବିବିଏସ୍ ଓ ବିଡିଏସ୍ ବ୍ୟାଚ୍ର ଡାକ୍ତରୀ ଶିକ୍ଷା ଯାତ୍ରାର ଔପଚାରିକ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କିମ୍ସର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡା. ଏମ୍.ଆର. ବେହେରା, ଭାଇସ୍ ପ୍ରିନ୍ସିପାଲ୍ ଡା. ଲଲାଟେନ୍ଦୁ ମହାନ୍ତି ଏବଂ କିଟ୍ ସ୍କୁଲ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ର ଅଧ୍ୟକ୍ଷ ପ୍ରଫେସର ସଙ୍ଗମେଶ ଏନ୍.ସି. ପ୍ରମୁଖ ଉପସ୍ଥିତ ଥିଲେ ।