ଟିଏସଏଏଫ୍ ଆନୁକୂଲ୍ୟରେ ଇଷ୍ଟ ଜୋନ୍ କ୍ଲାଇମ୍ବିଂ ଚାମ୍ପିୟନସିପ୍‌ ଆୟୋଜିତ

52

  • ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲେ ୪ ଓଡ଼ିଆ ଆଥଲେଟ୍‌

ଭୁବନେଶ୍ୱର, ୩୦.୧୦.୨୦୨୬- ଭାରତୀୟ ପର୍ବତାରୋହଣ ଫେଡେରେସନ୍ (ଆଇଏମ୍‌ଏଫ୍‌) ଦ୍ୱାରା ଓଡ଼ିଶା ଟିଏସ୍‌ଏଏଫ୍ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‌ପିସି), ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ (ଟିଏସ୍‌ଏଏଫ୍‌) କ୍ଲାଇମ୍ବିଂ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ଆଇଏମ୍‌ଏଫ୍ ଇଷ୍ଟ ଜୋନ୍ କ୍ଲାଇମ୍ବିଂ ଚାମ୍ପିୟନସିପ୍ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଟିଏସ୍‌ଏଏଫ୍ କ୍ଲାଇମ୍ବିଂ ଏଚ୍‌ପିସି ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଟିଏସ୍‌ଏଏଫ୍‌ର ଆଥଲେଟମାନେ ଦମଦାର ପ୍ରଦର୍ଶନ କରି ମୋଟ ୫୪ଟି ମେଡାଲ ମଧ୍ୟରୁ ୫୩ଟି ଜିତିବାରେ ସଫଳ ହୋଇଛନ୍ତି। ଏହି ଚାମ୍ପିୟନସିପ୍ ମାଧ୍ୟମରେ ଓଡ଼ିଶାର ଚାରିଜଣ ଉଦୀୟମାନ ଆଥଲେଟ୍ ଜାତୀୟ ଚାମ୍ପିୟନସିପ୍‌ରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଏହି ପ୍ରତିଯୋଗିତାରେ ଟିଏସ୍‌ଏଏଫ୍ କ୍ଲାଇମ୍ବିଂ ଏକାଡେମୀର ଆଥଲେଟମାନେ ୪୮ଟି ମେଡାଲ ଜିତିଥିବା ବେଳେ ଓଡ଼ିଶା ଟିଏସ୍‌ଏଏଫ୍ କ୍ଲାଇମ୍ବିଂ ଏଚ୍‌ପିସିର ଆଥଲେଟମାନେ ୫ଟି ମେଡାଲ ହାସଲ କରିଛନ୍ତି।

୨୦୨୪ ମସିହାରେ ସ୍ଥାପିତ ହୋଇଥିବା ଓଡ଼ିଶା ଏଚ୍‌ପିସି କମ୍ ସମୟ ମଧ୍ୟରେ ଅନେକ ସଫଳତା ହାସଲ କରିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରୁ ଜଣେ ଆଥଲେଟ୍ ଜାତୀୟସ୍ତରକୁ ଯୋଗ୍ୟତା ହାସଲ କରିଥିବା ବେଳେ ଏଥର ଚାରିଜଣ ଆଥଲେଟ୍ ଜାତୀୟସ୍ତର ପାଇଁ ମନୋନିତ ହେବା ସହ ୫ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ରାଜ୍ୟ ଏଚ୍‌ପିସିର ମେଡାଲ ବିଜେତାଙ୍କ ମଧ୍ୟରେ ଶୁଭ୍ରାଂଶୁ ଶେଖର ମାହୁନ୍ତ ଲିଡ୍‌‌ରେ ବ୍ରୋଞ୍ଜ ଓ ବୋଲଡରିଂରେ ସିଲଭର, ରାଜେନ୍ଦ୍ର ନାୟକ ବୋଲଡରିଂରେ ବ୍ରୋଞ୍ଜ, ସ୍ୱାତୀ ବେହେରା ସ୍ପିଡ୍‌‌ରେ ବ୍ରୋଞ୍ଜ ଏବଂ ଦୁଷ୍ମନ୍ତ କୁମାର ହେମ୍ବ୍ରମ ଲିଡ୍ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଏ ସମ୍ପର୍କରେ ଟାଟା ଷ୍ଟିଲ୍ ଲିମିଟେଡର ଚିଫ୍ ସ୍ପୋର୍ଟସ୍ ମୁକୁଲ ବିନାୟକ ଚୌଧୁରୀ କହିଛନ୍ତି, ଏଭଳି ପ୍ରତିଯୋଗିତା ଯୁବ କ୍ଲାଇମ୍ବରମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା, ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ବଡ଼ ଲକ୍ଷ୍ୟ ରଖିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥାଏ। ପୂର୍ବ ଭାରତର କ୍ରୀଡ଼ାବିତ୍‌‌ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ ଟାଟା ଷ୍ଟିଲ୍ ସବୁବେଳେ ଉଦ୍ୟମ କରିଆସୁଛି।

ପ୍ରତିଯୋଗିତାରେ ନିଜର ପ୍ରଦର୍ଶନ ସମ୍ପର୍କରେ ଶୁଭ୍ରାଂଶୁ ଶେଖର ମାହୁନ୍ତ କହିଛନ୍ତି, ଏହି କ୍ଲାଇମ୍ବ ମୋ ସାହସ ଓ ଧୈର୍ଯ୍ୟର ଏକ ବ୍ୟକ୍ତିଗତ ପରୀକ୍ଷା ଥିଲା ଏବଂ ଏଥିରେ ସଫଳ ହେବା ମୋ ଜୀବନର ଦିଗ ବଦଳାଇ ଦେଇଛି।

ସୂଚନାଯୋଗ୍ୟ ଯେ, ଟିଏସ୍‌ଏଏଫ୍ ୨୦୧୫ ମସିହାରୁ ଭାରତରେ ସ୍ପୋର୍ଟ କ୍ଲାଇମ୍ବିଂର ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ଜାମସେଦପୁର ଓ ଭୁବନେଶ୍ୱର ଏକାଡେମୀ ମାଧ୍ୟମରେ ସୁସଂଗଠିତ କୋଚିଂ, ଆଧୁନିକ ତାଲିମ ଏବଂ ପ୍ରତିଯୋଗିତାର ସୁଯୋଗ ଯୋଗାଇ ଦିଆଯାଉଛି। ୨୦୨୨ ଓ ୨୦୨୩ ରେ ଆଇଏଫ୍‌ଏସ୍‌ସି ଏସୀୟ କିଡ୍ସ କ୍ଲାଇମ୍ବିଂ ଚାମ୍ପିୟନସିପ୍‌, ୨୦୨୪ରେ ଏସୀୟ ୟୁଥ୍ କ୍ଲାଇମ୍ବିଂ ଚାମ୍ପିୟନସିପ୍ ଏବଂ ଟାଟା ଷ୍ଟିଲ୍ ସ୍ପୋର୍ଟ କ୍ଲାଇମ୍ବିଂ ଚାମ୍ପିୟନସିପ୍‌‌ର ୬ଟି ସଂସ୍କରଣ ସଫଳତାର ସହ ଆୟୋଜନ କରିସାରିଛି।

ଉଦଯାପନୀ ସମାରୋହରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ଡାଇରେକ୍ଟର ଡ. ୟେଦୁଲା ବିଜୟ, ସ୍ପେଶାଲ ସେକ୍ରେଟାରୀ ଶ୍ରୀ ଅଶୋକ କୁମାର ପଣ୍ଡା, ଆଡିସନାଲ ସେକ୍ରେଟାରୀ ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ଶ୍ରୀ ସୁଧାକର ନାୟକ ଏବଂ ପଶ୍ଚିମବଙ୍ଗ କ୍ରୀଡ଼ା ଓ ଯୁବସେବା ବିଭାଗର ମାଉଣ୍ଟେନିୟରିଂ ଆଡଭାଇଜର ଶ୍ରୀ ଦେବଦାସ ନନ୍ଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଏହାବ୍ୟତୀତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ପଦ୍ମପାଲ, ଟାଟା ଷ୍ଟିଲ୍ କଳିଙ୍ଗନଗର କୋର୍ପୋରେଟ୍ ସର୍ଭିସେସ ଚିଫ୍ ରବି ମାରିକ ଏବଂ ଭୁବନେଶ୍ୱର ଟାଟା ଷ୍ଟିଲ୍‌‌ର ଚିଫ୍ ରେସିଡେଣ୍ଟ ଏକ୍‌ଜିକ୍ୟୁଟିଭ୍ ମୋହିତ ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.