ବେଲଗୁଣ୍ଠା,-(ଶିବାରମଚୌଧୁରୀ)- , ବେଲଗୁଣ୍ଠା ପଂଚାୟତ ସମିତିର ସପ୍ତମ ସାଧାରଣ ବୈଠକ ପଂଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ବ୍ଳକ୍ ର ସର୍ବାଙ୍ଗୀନ ଉନ୍ନତି ପାଇଁ କୃଷି, ଜଳ ସେଚନ, ଶିକ୍ଷା, ଗମନାଗମନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିବା ସହିତ ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ଜନ ପ୍ରତିନିଧି ମାନଙ୍କ ସହଯୋଗରେ ଦୁର୍ନୀତିମୁକ୍ତ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ I ବୈଠକରେ ପାନୀୟ ଜଳ ଯୋଗାଣ, ମହିଳା ଓ ଶିଶୁ ବିକାଶ,ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ, ପଶୁପାଳନ, ସାମାଜିକ ସୁରକ୍ଷା, କୃଷି, ଉନ୍ନୟନ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା I କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ ପଂଚାୟତ କାର୍ଯ୍ୟାଳୟରେ ପାନୀୟ ଜଳ ସୁବିଧା ନଥିବା କହିଥିବା ବେଳେ ଇଙ୍ଗିନାଠୀ ସରପଞ୍ଚ ରତଙ୍ଗ ଏବଂ ମନ୍ଦାର ଗ୍ରାମରେ ବୋର୍ ୱେଲ୍ ଥିଲେ ମଧ୍ୟା ପାନୀୟ ଜଳ ସମସ୍ୟା ରହୁଥିବା କଥା ଜଣାଇଥିଲେ I ସେହିପରି ଗୋବରା ଗ୍ରାମ ରାସ୍ତା ମଝିରେ ଏକ ନଳକୂପ ରହିଥିବାରୁ ଯିବାଆସିବାରେ ଅସୁବିଧା ହେଉଥିବା କଥା କହିଥିଲେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା I ଏହା ସହିତ ଶ୍ରୀ ଜେନା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନଥିବ ବେଳେ ଡ଼ାକ୍ତର ପଦବୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ I ଆଠ ମାସ ହେବ ବ୍ଳକ୍ ରେ ହରିଶ୍ଚନ୍ଦ୍ର ଯୋଜନା ବନ୍ଦ ହୋଇ ରହିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ I ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ସଠିକ୍ ପରିମାଣର ଅଣ୍ଡା ଦିଆଯାଉନଥିବା ଅଭିଯୋଗ କରିଥିଲେ ୪୯ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ I ଇଙ୍ଗିନାଠୀ ସରପଞ୍ଚ ବିଦ୍ୟାଳୟକୁ ଯୋଗାଣ ହେଉଥିବା ମଧ୍ୟାହ୍ନଭୋଜନ ଅତି ନିମ୍ନ ମାନର ଦିଆଯାଉଥିବା ଅଭିଯୋଗ କରିଥିବା ବେଳେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ବାରଟା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ମିଳିନଥିବା ଅଭିଯୋଗ କରିବା ସହିତ ଏହା ଉପରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ I ପ୍ରତି ପଂଚାୟତରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନଥିବା ନେଇ ଅଭିଯୋଗ କରିଥିଲେ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ I ଏହା ସହିତ ଶ୍ରୀ ନାୟକ ଗୋବରା ସେବା ସମବାୟ ସମିତିରେ ସାର କଳାବଜାରୀ ହେଉଥିବା ନେଇ ଅଭିଯୋଗ କରିଥିଲେ I ସମସ୍ତ ସମସ୍ୟାର ସମାଧାନ ଦିଗରେ ଯତ୍ନବାନ୍ ହେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ବିଷୋୟୀ I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ବିଜୟ କୁମାର ପ୍ରଧାନ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଏବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି ମଞ୍ଚାସୀନ ଥିବା ବେଳେ ଆଶିଷ ସେଠୀ ମଞ୍ଚ ପରିଚାଳନା କରିଥିଲେ I ଜିଲ୍ଲା ପରିଷଦ ସଭ୍ୟ, ବହୁ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ସମେତ ପଂଚାୟତ ନିର୍ବାହି ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I ବିଡ଼ିଓ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post