ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଙ୍କ ମିଳିତ ଆନୁକୁଲ୍ୟରେ ବିକଶିତ ଜିଲ୍ଲା ପାଇଁ ବିକଶିତ ଓଡ଼ିଶା ସନ୍ଦର୍ଭରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଆଭାଷୀ ମାଧ୍ୟମରେ ଦିଲ୍ଲୀରୁ ଯୋଗଦାନ କରିଥିଲେ । ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ତିର୍କୀ ସ୍ଵାଗତ ଭାଷଣ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ସୁନ୍ଦରଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବିଶ ଫାବି ରଶୀଦ ଏବଂ ଭିନ୍ନ ଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।
ଓଡ଼ିଶା ସରକାରଙ୍କ ବିକଶିତ ଓଡ଼ିଶା ୨୦୩୬ ପାଇଁ ବିକଶିତ ଭାରତ ୨୦୪୭ କାର୍ଯ୍ୟକ୍ରମର ପରିବର୍ତ୍ତିତ ସ୍ଵରୂପ ମାଧ୍ୟମରେ ଭିନ୍ନ ଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ ମାନଙ୍କ ପରାମର୍ଶ କ୍ରମେ ସୁନ୍ଦରଗଡ଼ ଜିଲ୍ଲାର ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଏହି କର୍ମଶାଳାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଓରାମ ଆହ୍ଵାନ ଦେଇଥିଲେ । ଏଥିରେ ଜନ ପ୍ରତିନିଧି, ଶିକ୍ଷାବିତ, ଶିଳ୍ପପତି, ବ୍ୟାଙ୍କ ଓ ଆର୍ଥିକ ସେବା ପ୍ରତିନିଧି , ବେସରକାରୀ ଅନୁଷ୍ଠାନ ମାନଙ୍କ ପରାମର୍ଶ ଲାଗି ପାଞ୍ଚ ଗୋଟି ଭିନ୍ନ ଭିନ୍ନ ଦଳ ଗଠନ କରି ଆପୋସ ଆଲୋଚନା ମାଧ୍ୟମରେ ୨୦୩୬ ସୁଦ୍ଧା ବିକଶିତ ସୁନ୍ଦରଗଡ଼ ଗଠନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ଥିଲା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ପାଞ୍ଚଟି ବିଷୟରେ ବିଶେଷଜ୍ଞ ପ୍ରତିନିଧି ମାନଙ୍କ ଦ୍ଵାରା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ଉପସ୍ଥିତ ନାଗରିକ ମାନେ ମଧ୍ୟ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ବିକଶିତ ସୁନ୍ଦରଗଡ଼ ଗଠନ ନିମନ୍ତେ।
ଜିଲ୍ଲାପାଳ ଶ୍ରୀ ମହାଜନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ପରି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଲାଗି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ତ୍ଵରିତ ଏବଂ ଶୃଙ୍ଖଳିତ କାର୍ଯ୍ୟ ନିର୍ବାହ ପଦ୍ଧତି ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସାଧାରଣ ଜନତା ମଧ୍ୟ ନିଜ ନିଜ ଅଞ୍ଚଳ ସହ ଜଡ଼ିତ ସାମର୍ଥ୍ୟ, ସରକାରୀ ଯୋଜନା ମାନଙ୍କରେ ଥିବା ବିଭିନ୍ନ ଅସୁବିଧା, ସମସ୍ୟା ଓ ଏହାର ନିରାକରଣ ନିମନ୍ତେ ସାରଗର୍ଭକ ଆଲୋଚନା କରିଥିଲେ। ପରିଶେଷରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ର ଉପ ନିର୍ଦ୍ଦେଶକ ଶ୍ରୀ ବିଭୁତି ରଞ୍ଜନ ରାଉଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ର ସହକାରୀ ନିର୍ଦ୍ଦେଶକଙ୍କ ଧନ୍ୟବାଦ ସହିତ କାର୍ମଶାଳାକୁ ସମାପ୍ତ କରାଯାଇଥିଲା । ଏହି କାର୍ମଶାଳା ପରିଚାଳନା କରିବାରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟର କର୍ମଚାରୀ ମାନେ ସହାୟତା କରିଥିଲେ।