ବର୍ଷାରେ ବି ଫିକା ପଡ଼ିନି ଉତ୍ସାହ: ଭଞ୍ଜନଗରରେ ଧୂମଧାମରେ ପାଳିତ ହେଲା ଶ୍ରୀ ଗଣେଶ ପୂଜା

30

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଅବସରରେ ସର୍ବବିଘ୍ନ ବିନାଶକ, ବୁଦ୍ଧି ଓ ସିଦ୍ଧିର ଦାତା ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ସହର ଭଞ୍ଜନଗରରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ତାରିଖ, ରବିବାର ଦିନ ସହରର ସାହି, ଗଳି-କନ୍ଦି, ପ୍ରତ୍ୟେକ ଘର ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ବେଶ୍ ଆକର୍ଷଣୀୟ ଏବଂ ଭବ୍ୟ ପରିବେଶ ମଧ୍ୟରେ ଅଗ୍ରପୂଜ୍ୟଙ୍କ ଆରାଧନା କରାଯାଇଛି।
​ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉଦ୍ଦୀପନା କମି ନଥିଲା। ପ୍ରାକୃତିକ ପ୍ରତିବନ୍ଧକକୁ ଏଡ଼ାଇ ସମସ୍ତେ ଗଣପତି ବାପାଙ୍କ ଆବାହନରେ ମଗ୍ନ ଥିବା ଦେଖିବାକୁ ମିଳିଥିଲା।
​ସହରର କେତେକ ସ୍ଥାନରେ ମେଢ଼ ସଜ୍ଜା ଓ ମଣ୍ଡପ ପୂଜା ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରି ନଥିବାରୁ, କୌଣସି କାରଣବଶତଃ ସେଗୁଡ଼ିକ ବିଳମ୍ବିତ ରାତିରେ ପୂଜା ପାଇବା ନେଇ ସୂଚନା ମିଳିଛି। ତେବେ ଗତବର୍ଷଗୁଡ଼ିକ ପରି, ଗଣେଶ ପୂଜାର ପରଦିନ ଅର୍ଥାତ୍ ‘ବାସି ପୂଜା’ ଦିନ ପ୍ରତ୍ୟେକ ସାହି ଓ କ୍ଲବ୍‌ର ମଣ୍ଡପଗୁଡ଼ିକ ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ତୋରଣରେ ସଜ୍ଜିତ ହୋଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବ। ଏହି ଆକର୍ଷଣୀୟ ମଣ୍ଡପଗୁଡ଼ିକୁ ଦେଖିବା ପାଇଁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଛଳରୁ ପ୍ରବଳ ଦର୍ଶକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି।

Leave A Reply

Your email address will not be published.