–
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: : ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଗତକାଲି, ସୋମବାର ଦିନ ଗୁଣୁପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ନୀରବ ସତ୍ୟାଗ୍ରହ ପାଳନ କରାଯାଇଛି।
ମହାମଞ୍ଚ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖି ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଦାବି କରାଯାଇଛି।
ଧର୍ମଘଟରେ ଉପସ୍ଥିତ ବିଧାନସଭା ସଦସ୍ୟ ସତ୍ୟଜିତ ଗୋମାଙ୍ଗ ବିଗତ ଦିନରେ ପ୍ରସ୍ତାବିତ ଗୁଡାରିର ପାଣି ଡଙ୍ଗର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତି ନେବାପାଇଁ ଦାବୀ ରଖିଥିଲେ । ‘ଯେତେବେଳେ ଜମି ଗଲା, ଜଳ ଗଲା, ଜୀବିକା ଗଲା, ତମେ କ’ଣ କରୁଥିଲ?’ ସେତେବେଳେ ଆମେ କ’ଣ ଜବାବ ଦେବା?” ବୋଲି କ୍ଷୋଭ ପ୍ରକାଶ କରିଥିଲେ ବରିଷ୍ଠ ବିଜେପି ନେତା ପ୍ରମୋଦ ସାହୁ, ବରିଷ୍ଠ ଅଧିବକ୍ତା ବ୍ରହ୍ମାନନ୍ଦ ପଟ୍ଟନାୟକ, GIETର ଡ. ଚନ୍ଦ୍ରଧ୍ୱଜ ପଣ୍ଡା, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ବର୍ତ୍ତମାନ ବିଧାୟକ ସତ୍ୟଜିତ ଗମାଙ୍ଗ, ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଶିବ ନାରାୟଣ ପଣ୍ଡା, ବୁଡ଼ି ଅଞ୍ଚଳର ସାରା ବାଡ଼ିଙ୍ଗା ଏବଂ ବଂଶଧାରା ସୁରକ୍ଷା ମଞ୍ଚ, ପାଲସିଂର ଆବାହକ ବ୍ରଜମୋହନ ନାୟକ ଏବଂ ଗୁଣୁପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇ ନେରେଡ଼ି ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ବୁଡ଼ି ଅଞ୍ଚଳ ଓ କାଶୀନଗରରେ ଜଳପ୍ରବାହ ହ୍ରାସ ପାଇ ବାଲୁକାମୟ ଅଞ୍ଚଳ ବୃଦ୍ଧି ଏବଂ ଗୁଣପୁରରେ ବନ୍ୟା ଆଶଙ୍କା ବଢ଼ିବା ନେଇ ମଧ୍ୟ ସେମାନେ ଚିନ୍ତା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟଯେ ମହାମଞ୍ଚର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ରହିଛି: ଜମି ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ପ୍ରକଳ୍ପର ସମ୍ପୂର୍ଣ୍ଣ ନକ୍ସା ସାର୍ବଜନୀନ କରିବା, ସ୍ୱାଧୀନ ବୈଷୟିକ ଅନୁଧ୍ୟାନ ଓ ଜଳବନ୍ଦୀ ସମ୍ଭାବନାର ମୂଲ୍ୟାଙ୍କନ କରିବା, ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲିଖିତ ପ୍ରତିଶ୍ରୁତି ଓ ଜଳ ଅଧିକାର ସ୍ପଷ୍ଟ କରିବା । ସମସ୍ତ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ସୁନିଶ୍ଚିତ ନ ହେବା ଯାଏଁ କୌଣସି ଜମି ହସ୍ତାନ୍ତର ନ କରିବାକୁ ମହାମଞ୍ଚ ଦାବି କରିଛି।
କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଗୁଣପୁରର ବରିଷ୍ଠ ସାମ୍ବାଦିକ ତଥା ସାହାରା ପରିବାର ପରାମର୍ଶ କେନ୍ଦ୍ରର ମୁଖ୍ୟ ପ୍ରମୋଦ ସାହୁ। ଦାବିଗୁଡ଼ିକର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମବେତ ଭାବେ ଚେତାବନୀ ଦିଆଯାଇଥିଲା। ଶେଷରେ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।