ବ୍ୟବସ୍ଥା ଓ ନେତୃତ୍ୱ ପ୍ରତି ଅନାସ୍ଥା: ନବୀନଙ୍କ ପ୍ରତି ଆସ୍ଥା

0

ଧର୍ମଶାଳାରେ ଗରୀବ କଲ୍ୟାଣ ଯୋଜନା ବାଟବଣା ନେଇ ଆନେ୍ଦାଳନ ତେଜିଲା 

ଯାଜପୁର,(ଜୟଶଙ୍କର ଦାଶ ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ବିଭିନ୍ନ ପଂଚାୟତରେ ଗରୀବ କଲ୍ୟାଣ ଯୋଜନା ବାଟବଣା ହେବାନେଇ ଆନେ୍ଦାଳନ ବିସ୍ପୋରକ ମୋଡ ନେଇଛି । ହେଲେ ଏହି ଅସନ୍ତୋଷ ବ୍ୟବସ୍ଥା ଏବଂ ନେତୃତ୍ୱ ବିରୋଧରେ ବ୍ୟାପକ ହେଉଥିବା ବେଳେ ନବୀନଙ୍କ ପ୍ରତି କିନ୍ତୁ ଆସ୍ଥା ଅତୁଟ ରହିଛି ।  ବୁଧବାର ସାହାଣିଡିହ ପଂଚାୟତର ଗ୍ରାମସେବକଙ୍କୁ ୭ ଘଣ୍ଟା ଅଟକ ରଖାଯିବା ଏବଂ ସରପଂଚ ପଂଚାୟତ କାର୍ଯ୍ୟାଳୟରୁ ଲୁଚି ପଳାଇବା ପରେ ସେମାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଶୁକ୍ରବାର ଏହି ଆନେ୍ଦାଳନର ନେତୃତ୍ୱ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ନେଇଥିବା ବେଳେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବଡ ଧରଣର ଶୋଭାଯାତ୍ରା କରାଯିବା ଘଟଣା ରାଜନୈତିକ ମହଲରେ ଘୋର ଆଲୋଡନ ସୃଷ୍ଟି କରିଛି । 

ସାହାଣିଡିହ ପଂଚାୟତ ସମ୍ମୁଖରେ ପ୍ରାୟ ୧୦୦୦ ରୁ ଉଦ୍ଧ୍ୱ ମହିଳା ଏବଂ ସାଧାରଣ ଜନତା ଏକାଠି ହୋଇ କରିଥିବା ବିକ୍ଷୋଭ ଓ ପ୍ରତିବାଦ ସଭାରେ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରୀବ କଲ୍ୟାଣ ଯୋଜନା ଉପରେ ଦୃଢ ଆସ୍ଥା ରଖିବା ସହ ଧର୍ମଶାଳାରେ ଶହ ଶହ ସଂଖ୍ୟାରେ ଗରୀବଙ୍କୁ ସରକାରୀ ଯୋଜନାର ସୁଫଳରୁ ବଂଚିତ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ଏଥିନେଇ ଠୋସ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ରଖିଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା ଗରୀବଙ୍କ ସ୍ୱାର୍ଥରକ୍ଷା ପାଇଁ ଗୁରୁତ୍ୱ ଦେଇ ଆସିଛନ୍ତି । ହେଲେ ନିର୍ଦ୍ଧିଷ୍ଟ କ୍ଷମତାସୀନ ନେତା ଲାଭ ଓ ଲୋଭରେ ମତୁଆଲା ହୋଇ ଗରୀବଙ୍କ ତଣ୍ଟିଚିପି ଦେବା ଆକ୍ରୋଶରେ କେହି ଦଳ ବିରୋଧୀ ନହୋଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିବାକୁ ନିବେଦନ କରିଥିଲେ । ଅତୀତରେ ବହୁ ପଥଭ୍ରଷ୍ଟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କ ସ୍ୱାର୍ଥ ପାଇଁ ଦଳରେ ଗୁରୁତ୍ୱହୀନ କରିଛନ୍ତି । ଏଥିରେ ପଂଚାୟତ ସମିତି ସଭ୍ୟା ଝୁନାରାଣୀ ଓଝା, ଉମା ମହାନ୍ତି, ବଇ ମହାନ୍ତି, ଶାନ୍ତିଲତା ପରିଡା, କୁନିଲତା ମହାନ୍ତି, ଚୁମୁକିୁ ଦାସ, ଝରଣା ସ୍ୱାଇଁ, ଅମୀନା ପ୍ରଧାନ ପ୍ରମୁଖ ଯୋଗଦେଇ କ୍ଷମତାସୀନ ନେତା ଏଠାରେ ଲୋକଙ୍କୁ ପୋକମାଛି ପରି ବ୍ୟବହାର କରିବା ସହ ଗରୀବଙ୍କ ଯୋଜନାକୁ ହଡପ କରୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଏଥିରେ ପୂର୍ବତନ ପଂଚାୟତ ବି.ଜେ.ଡି ସଭାପତି ଖଜିର ମହାନ୍ତି, ଯୁବନେତା ଟୁଲୁ ପ୍ରଧାନ, ବିକାଶ ପରିଡା, ସୁବଳ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ରତ୍ନାକର ପ୍ରଧାନ, ଅରୁଣ ପ୍ରଧାନ, କୀର୍ତ୍ତନ ପରିଡା, ରବିନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଶାସନ ବ୍ୟବସ୍ଥାରେ ଚରମ ଅରାଜକତା ଓ ଭ୍ରଷ୍ଟାଚାର ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ । ଏହାପରେ ଉତ୍ତେଜିତ ମହିଳା ଓ ଜନସାଧାରଣଙ୍କ ତରଫରୁ ଏକ ବଡ ଧରଣର ଶୋଭାଯାତ୍ରାରେ ଯୁବନେତା ସତୀଶ ବିଶ୍ୱାଳଙ୍କୁ ନିଆଯାଇ ପଂଚାୟତ ପରିକ୍ରମା କରାଯିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରାଯାଇ ଥିଲା । ଏହି ଶୋଭାଯାତ୍ରାରେ ବିଧାୟକ ଓ ସରପଂଚଙ୍କ ବିରୋଧରେ ଲୋକେ ବିଭିନ୍ନ ପ୍ରକାର ସ୍ଳେଗାନ ଦେଇଥିଲେ ।  ତେବେ ବ୍ୟବସ୍ଥା ବିରୋଧରେ ଉଠୁଥିବା ଜନଅସନ୍ତୋଷ ସରକାର ବିରୋଧୀ ହେବା ପୂର୍ବରୁ ଏଠାରେ ବିଧାୟକଙ୍କୁ ବିରୋଧ କରୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଜରିଆରେ ପୁନଶ୍ଚ ନବୀନ ସରକାର ସପକ୍ଷ କରାଯାଉ ଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ବି.ଜେ.ପି ଏଥିରୁ ଫାଇଦା ଉଠାଇ ନପାରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ବିକ୍ଷୋଭ ଓ ଶୋଭାଯାତ୍ରାରେ ନବୀନ ପଟ୍ଟନାୟକ ଏବଂ ସତୀଶ ବିଶ୍ୱାଳଙ୍କ ଜିନ୍ଦାବାଦ ପଡିଥିବା ବେଳେ ବ୍ୟବସ୍ଥା ଏବଂ ସ୍ଥାନୀୟ ନେତୃତ୍ୱ ବିରୋଧରେ ସ୍ଳୋଗାନ ଦିଆଯାଇଥିଲା ।  

 

Leave A Reply

Your email address will not be published.