ବିଶ୍ୱ ଷ୍ଟ୍ରୋକ୍ ଦିବସରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ସଚେତନତା ବାର୍ତ୍ତା
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଷ୍ଟ୍ରୋକ୍ର ଲକ୍ଷଣ ଚିହ୍ନଟ କରିବା, ତୁରନ୍ତ ଜରୁରୀକାଳୀନ ଚିକିତ୍ସା ଗ୍ରହଣ କରିବା ଏବଂ ଉପଯୁକ୍ତ ଚିକିତ୍ସା ପରେ ପୁନର୍ବାସ ଉପରେ ଗୁରୁତ୍ୱ ଦେଇଛି ରାଉରକେଲା ଆପୋଲୋ ହସ୍ପିଟାଲ୍ସ। ଷ୍ଟ୍ରୋକ୍ କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ ହୋଇଥିବାରୁ ଲକ୍ଷଣ ଦେଖାଦେବା ମାତ୍ରେ ବିଳମ୍ବ ନକରି ଚିକିତ୍ସା ନେବାକୁ ହସ୍ପିଟାଲ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି।
‘BEFAST’ ମାଧ୍ୟମରେ ଷ୍ଟ୍ରୋକ୍ର ଲକ୍ଷଣ ଚିହ୍ନଟ
ଷ୍ଟ୍ରୋକ୍ ହେଉଛି ଏକ ଗୁରୁତର ଚିକିତ୍ସାଜନିତ ଜରୁରୀ ପରିସ୍ଥିତି। ମସ୍ତିଷ୍କର କୌଣସି ଅଂଶକୁ ରକ୍ତ ପ୍ରବାହ ବାଧାପ୍ରାପ୍ତ ହେଲେ କିମ୍ବା ମସ୍ତିଷ୍କରେ ରକ୍ତବାହୀ ନଳୀ ଫାଟିଗଲେ ଷ୍ଟ୍ରୋକ୍ ହୋଇଥାଏ। ଏହାର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ରୋଗୀଙ୍କ ଜୀବନ ରକ୍ଷା କରିବା ସହ ଦୀର୍ଘକାଳୀନ ଜଟିଳତା ହ୍ରାସ କରିବାରେ ସହାୟକ ହୋଇଥାଏ।
ଷ୍ଟ୍ରୋକ୍ର ଲକ୍ଷଣ ଚିହ୍ନଟ ପାଇଁ ଡାକ୍ତରମାନେ ‘BEFAST’ ସୂତ୍ର ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ‘B’ ଅର୍ଥାତ୍ ହଠାତ୍ ଶରୀରର ସନ୍ତୁଳନ ହରାଇବା, ‘E’ ଅର୍ଥାତ୍ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ, ‘F’ ଅର୍ଥାତ୍ ମୁହଁର ଗୋଟିଏ ପାର୍ଶ୍ୱ ଝୁଲି ପଡ଼ିବା, ‘A’ ଅର୍ଥାତ୍ ହାତରେ ଦୁର୍ବଳତା, ‘S’ ଅର୍ଥାତ୍ କଥା କହିବାରେ ଅସୁବିଧା ଏବଂ ‘T’ ଅର୍ଥାତ୍ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ନେବା ପାଇଁ ସମୟର ଗୁରୁତ୍ୱକୁ ବୁଝାଏ।
ଲକ୍ଷଣ ଦେଖାଦେବା ପରେ ଆପେଆପେ ଠିକ୍ ହୋଇଯିବ ବୋଲି ଅପେକ୍ଷା ନକରି ତୁରନ୍ତ ହସ୍ପିଟାଲ୍ ଯିବା ଉଚିତ। ଏପରିକି ଲକ୍ଷଣ ଦୂର ହୋଇଗଲେ ମଧ୍ୟ ଅବହେଳା କରିବା ଅନୁଚିତ। ଲକ୍ଷଣ ଆରମ୍ଭ ହେବା ପୂର୍ବରୁ ରୋଗୀ ଶେଷ ଥର ପାଇଁ କେବେ ସୁସ୍ଥ ଥିଲେ, ସେହି ସମୟ ମନେ ରଖିବା ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ।
ସମନ୍ୱିତ ଚିକିତ୍ସା ଓ ପୁନର୍ବାସ ଉପରେ ଗୁରୁତ୍ୱ
ଏହି ଅବସରରେ ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଅନୁପମ ମହାପାତ୍ର, କ୍ରିଟିକାଲ୍ କେୟାରର ବରିଷ୍ଠ ପରାମର୍ଶଦାତା ଡାକ୍ତର ଚେତନ ରେଡ୍ଡି, ନ୍ୟୁରୋସର୍ଜନ ତଥା ବରିଷ୍ଠ ପରାମର୍ଶଦାତା ଡାକ୍ତର ଆୟୁଷ୍ମାନ ଶତପଥୀ, ନ୍ୟୁରୋଲୋଜିଷ୍ଟ ତଥା ବରିଷ୍ଠ ପରାମର୍ଶଦାତା ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ ଏବଂ ଡାକ୍ତର ଅଭିଷେକ ନନ୍ଦ ଆଲୋଚନାରେ ଭାଗ ନେଇଥିଲେ।
ଡାକ୍ତରମାନେ କହିଥିଲେ ଯେ, ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସାରେ ଶୀଘ୍ର ନିଷ୍ପତ୍ତି, ଉପଯୁକ୍ତ ଚିକିତ୍ସା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ। ଚିକିତ୍ସା ପରେ ନିୟମିତ ଔଷଧ ସେବନ, ଡାକ୍ତରଙ୍କ ପରାମର୍ଶ ଅନୁସରଣ ଏବଂ ପୁନର୍ବାସ ପ୍ରକ୍ରିୟାରେ ପରିବାରର ସହଯୋଗ ରୋଗୀଙ୍କ ସୁସ୍ଥତା ପାଇଁ ବିଶେଷ ଗୁରୁତ୍ୱ ବହନ କରେ।
ହସ୍ପିଟାଲ୍ ପକ୍ଷରୁ ପରିବାର ସଦସ୍ୟମାନଙ୍କୁ ‘BEFAST’ ବିଷୟରେ ସଚେତନ ହେବା, ଜରୁରୀକାଳୀନ ଯୋଗାଯୋଗ ନମ୍ବର ପାଖରେ ରଖିବା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ଡାକ୍ତରୀ ପରାମର୍ଶ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି।
କାର୍ଯ୍ୟକ୍ରମ ଶେଷରେ ଆପୋଲୋ ହସ୍ପିଟାଲ୍ସର ମେଡିକାଲ୍ ସର୍ଭିସେସ୍ ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ହସ୍ପିଟାଲ୍ର ମୁଖ୍ୟ ପରିଚାଳନା ଅଧିକାରୀ (COO) ଡାକ୍ତର ଅଖିଲ ଜୈନ ଆଲୋଚନାରେ ଭାଗ ନେଇଥିବା ଡାକ୍ତରମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ସ୍ମୃତିଚିହ୍ନ ଓ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।