ଭିନ୍ନକ୍ଷମଙ୍କୁ ଚିହ୍ନଟ ପାଇଁ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ

3
  • ଗୋଟିଏ ସ୍ଥାନରେ ସରକାରଙ୍କ ସମସ୍ତ ସୁବିଧାର ଲାଭ ପାଇ ପାରୁଛନ୍ତି ହିତାଧିକାରୀ

  • ୩୨୧ ଜଣଙ୍କୁ ମିଳିବ ଦିବ୍ୟାଙ୍ଗ ପ୍ରମାଣ ପତ୍ର

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ଠାରେ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ସେମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିବା ତଥା ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଦିବ୍ୟାଙ୍ଗ କଲ୍ୟାଣମୂଳକ ଯୋଜନାର ଲାଭାର୍ଥି କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା।

ଏହି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ’ରେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହାର ପ୍ରମାଣପତ୍ର ଦେବା ନିମନ୍ତେ ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ଡାକ୍ତରୀ କ୍ୟାମ୍ପର ଆୟୋଜନ କରାଯଇଥିଲା। ଶ୍ରବଣ ଓ ବାକ୍ ବାଧିତ ସହ ଦୃଷ୍ଟି ବାଧିତ, ଶାରୀରିକ ଭିନ୍ନକ୍ଷମ ଏବଂ ମାନସିକ ଭିନ୍ନକ୍ଷମତା ଚିହ୍ନଟ କରିବା ନିମନ୍ତେ ଡାକ୍ତରୀ ଦଳ ଉପସ୍ଥିତ ରହିଥିଲେ। ଏଥି ନିମନ୍ତେ ମୋଟ ୩୩୪ ଜଣ ପଞ୍ଜୀକରଣ କରାଇଥିବା ବେଳେ ଆଗାମୀ ଦିନରେ ୩୨୧ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯିବ।

ଏଥିରେ ଚିହ୍ନଟ ହୋଇଥିବା ୨୭ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ, ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ଭଳି ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯିବ। ଏଥିସହ ୫୨ ଜଣଙ୍କୁ ବସ୍ ପାସ୍, ୧୩ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହ ଏହି ଅଭିଯାନରେ ବିବାହ ପ୍ରୋତ୍ସାହନ ଅର୍ଥ ରାଶି, ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ ନିମନ୍ତେ କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା।

ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ମହାନଗର ନିଗମର ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ ମୁଖ୍ୟ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାକ୍ସୱେଲ୍ ଟପ୍ନୋଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.