ଶାରଦୀୟ ଦୁର୍ଗାପୂଜା: ଜମଲାର ସୁବର୍ଣ୍ଣଜୟନ୍ତୀ ମହୋତ୍ସବ ଚୂଡ଼ାନ୍ତ ପର୍ଯ୍ୟାୟରେ ।

9

ପଦ୍ମପୁର-ଆସନ୍ତା ୧୧ ଅକ୍ଟୋବରରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଜମଲାରେ ଆୟୋଜିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜାର ସୁବର୍ଣ୍ଣଜୟନ୍ତୀ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଓ ଭବ୍ୟ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟ ପୂଜକ ଭାବେ ଶ୍ରୀ ଫଉଜଲାଲ ନନ୍ଦ ଏବଂ କର୍ତ୍ତା ଭାବେ ଶ୍ରୀ ରାଜେନ୍ଦ୍ର ନାରାୟଣ ଭୋଇ ଓ ତାଙ୍କ ସହଧର୍ମିଣୀ ବିଧିବିଧାନ ଅନୁସାରେ ନବଦୁର୍ଗାଙ୍କ ପୂଜା ସମ୍ପାଦନ କରିବେ। ମହୋତ୍ସବ ଅବସରରେ ପ୍ରତ୍ୟେକ ଦିନ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ମୀନାବଜାରର ଆୟୋଜନ ରହିଛି। ଏଥିସହ ‘ରାବଣ ଦରବାର’, ‘ରାମଲୀଳା’ ଓ ‘ରାବଣ ପୋଡ଼ି’ ମୁଖ୍ୟ ଆକର୍ଷଣ ପାଲଟିବ। ଚଳିତ ବର୍ଷ ରାବଣ ଭୂମିକାରେ ଲାଠୋରର ଶ୍ରୀ ଆର୍ତ୍ତତ୍ରାଣ ସୁନାନୀ ଅଭିନୟ କରିବାକୁ ଥିବାବେଳେ ବିଭିନ୍ନ ଭୂମିକା ପାଇଁ ଅନ୍ୟାନ୍ୟ କଳାକାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏହାସହ ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ଆଲୋକସଜ୍ଜା, ପାରାୟଣ, କୀର୍ତ୍ତନଧାରା, କୃଷ୍ଣଗୁରୁ, ଦଣ୍ଡନୃତ୍ୟ ଓ ଆର୍କେଷ୍ଟ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି।ସୁବର୍ଣ୍ଣଜୟନ୍ତୀ ମହୋତ୍ସବ ହୋଇଥିବାରୁ ଚଳିତ ବର୍ଷ ଅଧିକ ଜନସମାଗମ ହେବାର ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଦୁର୍ଗାପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଫଳ କରିବା ପାଇଁ କମିଟି ସଭାପତି ଶ୍ରୀ ମନୋରଞ୍ଜନ ପୁରୋହିତ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Leave A Reply

Your email address will not be published.