କାଶୀପୁରରେ କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ଶତ ପ୍ରତିଶତ ସଫଳ

10

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାଜ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଦେଖିବାକୁ ମିଳିଛି। କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା। ପୋଡ଼ାପାଡ଼ି, ଟିକିରି, ତୋଟାଗୁଡ଼ା, କାଶୀପୁର, ନୂଆପଡ଼ା, ଡଙ୍ଗାସିଲ, ଚନ୍ଦ୍ରଗିରି, ଲଦିଗୁଡ଼ା, ଗରାଖପୁର ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ।
କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ, ସାଂସଦ ପ୍ରତିନିଧି ସାନ୍ଧୁ ଚରଣ ମାଝୀ ଓ ବିଧାୟକ ପ୍ରତିନିଧି ଜିଜୁରୁ ମାଝୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ବନ୍ଦ ପାଳନରେ ଯୋଗଦେଇଥିଲେ। ଏହାସହ ବ୍ଲକବାସୀ ମଧ୍ୟ ବନ୍ଦକୁ ସହଯୋଗ କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
ବନ୍ଦ ପାଳନ ଯୋଗୁଁ କାଶୀପୁର ବ୍ଲକର ବିଭିନ୍ନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଦଳର ଦାବିଗୁଡ଼ିକୁ ନେଇ ଜନସାଧାରଣଙ୍କ ନିକଟରେ ମତ ରଖିଥିଲେ।
କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକର ମୁଖ୍ୟ ଉଦ୍ଦେଶ୍ୟ ଭାବେ ଏମଏମଡିଆଇକୁ ରଦ୍ଦ କରିବା, ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ—ଏହି ଚାରି ଦଫା ଦାବି ରହିଥିବା କୁହାଯାଇଛି।
କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ କହିଛନ୍ତି ଯେ, ସରକାର ଯଦି କଂଗ୍ରେସର ଏହି ଦାବିଗୁଡ଼ିକ ପ୍ରତି ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଦାବି ପୂରଣ ନହେବା ପର୍ଯ୍ୟନ୍ତ କଂଗ୍ରେସ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।
ତେବେ କାଶୀପୁରରେ ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.