କଣାସ ଝାଡ଼ାବାନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଦୁର୍ଭାଗ୍ୟଜନକ: ବିଜେଡି

0 2
  •  ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

  •  ତଥ୍ୟ ଲୁଚାଇବାରେ ବ୍ୟସ୍ତ ସ୍ୱାସ୍ଥ୍ୟ ବିଭାଗ

  •  ଉଚ୍ଚସ୍ତରୀୟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରନ୍ତୁ

ଭୁବନେଶ୍ୱର, ୧୬/୦୨/୨୦୨୫: କଣାସ ଝାଡ଼ାବାନ୍ତିରେ ଆଉ କେତେ ନିରୀହ ଜୀବନ ଗଲେ ଚେତିବେ ସରକାର । ଆଜି ପୁଣି ଏକ ଝାଡ଼ାବାନ୍ତି ଜନିତ ମୃତ୍ୟୁକୁ ମିଶାଇ ସମୁଦାୟ ୭ଟି ଜୀବନ ଚାଲିଗଲା ପରେ ମଧ୍ୟ ସରକାର ଗମ୍ଭୀରତାର ସହ ପରସ୍ଥିତିର ସାମ୍ନା କରିବାରେ ଅସମର୍ଥ ହୋଇଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ।
ଏପର୍ଯ୍ୟନ୍ତ କଣାସ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରବର୍ଗଙ୍କୁ ସରକାରୀ ଅନୁକମ୍ପା ମିଳିବା ତ ଦୂରର କଥା, ହଇଜାରେ ମୃତୁ୍ୟବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଅର୍ଥ ରାଶି ମଧ୍ୟ ମିଳିପାରିଲା ନାହିଁ । ରାଜଧାନୀରୁ ଅନତି ଦୂରରେ ଗତ ୧ ମାସରୁ ଉର୍ଧ୍ଵ ସମୟ ଧରି ୫ଟି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏଯାବତ ଏ ବାବଦରେ ମୁଖ୍ୟମନ୍ତ୍ରୀ ପଦୁଟିଏ ବି କହିନାହାନ୍ତି । ୫୦୦ରୁ ଉର୍ଧ୍ଵ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ସ୍ଥିତି ବିଷୟରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଲୁଚାଇବାରେ ବ୍ୟସ୍ତ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାଇପ୍ ଯୋଗେ ଜଳଯୋଗାଣ ବ୍ୟବସ୍ଥା ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଥିଲେ ମଧ୍ୟ ନୂଆ ସରକାର ବାକି ଥିବା କାମକୁ ବନ୍ଦ କରିଦେଇଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ଆରମ୍ଭ କରାଯାଇ ପୁରୀ ଜିଲ୍ଲା ତଥା ପ୍ରଭାବିତ ଅଞ୍ଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରାଯାଉ ।
ଏତତ୍ ବ୍ୟତୀତ ଶ୍ରୀ ଦାସବର୍ମା କହିଛନ୍ତି ଯେ, ଗଙ୍ଗୁଆରଷିତ ଜଳ ଦୟା, ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା ଓ ଲୁଣା ନଦୀରେ ମିଶି ଚିଲିକା ହ୍ରଦକୁ ପ୍ରଦୂଷିତ କରୁଥିବା ବେଳେ ରାଜ୍ୟ ସରକାର ପ୍ରଦୂଷଣ ରୋକିବା ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି । ସରକାରୀ ସ୍ତରରେ କୁହାଯାଉଛି ଯେ ସ୍ଥିତିରେ ସୁଧାର ଆସୁଛି, କିନ୍ତୁ ଲୋକଙ୍କ ଜୀବନ ବିପନ୍ନ ଥିବାବେଳେ ସରକାର ସତ୍ୟକୁ ସାମ୍ନା କରିବା ପରିବର୍ତ୍ତେ ପଳାୟନପନ୍ଥୀ ସାଜିବା ସୃହଣୀୟ ନୁହେଁ । ତୁରନ୍ତ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ, ଜଳସମ୍ପଦ ଓ ପଞ୍ଚାୟତିରାଜ ବିଭାଗର ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଡାକି ପ୍ରଦୂଷଣ ରୋକିବା ସହିତ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ।

 

Leave A Reply

Your email address will not be published.