ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫

0

ଓଡ଼ଗାଁ,୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ଗୁରୁବାର ଅପରାହ୍ଣରେ ଉଦଘାଟିତ ହୋଇଯାଇଛି । ଚଳିତବର୍ଷ ୪ ଦିନଧରି ଚାଲିବାକୁ ଥିବା ମହୋତ୍ସବ ଯେପରି ଅଧିକ ସରସ ସୁନ୍ଦର ଓ ଶୃଙ୍ଖଳିତ ହୋଇପାରିବ ଏହାକୁ କାମନା କରି ଓଡ଼ଗାଁ ବିଜେ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରରୁ ଆଜ୍ଞାମାଳ ପାଇ ଲୋକନାଥ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଓଡ଼ଗାଁ ଏକ ମଶାଲ ଶୋଭାଯାତ୍ରାରେ ଆସି ମହୋତ୍ସବ ମଞ୍ଚରେ ସ୍ଥାପନ କରିଥିଲେ । ଆଜିର ମୁଖ୍ୟ ଅତିଥି ସମାଜସେବୀ ଇରାନି ରାୟ ମଞ୍ଚରେ ସ୍ଥାପିତ ହୋଇଥିବା ଶ୍ରୀରଘୁନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ୧୩ ତମ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଶୁଭ ଉଦଘାଟନ କରିଥିଲେ । ସମବାୟ ସଭାପତି ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ବନଖଣ୍ଡ ସଂରକ୍ଷକଙ୍କ ସହିତ ସମ୍ମାନିତ ଅତିଥି ଭାବେ ମୀରା ନାୟକ, ଉପାଧ୍ୟକ୍ଷ ପଞ୍ଚାୟତ ସମିତି, ଓଡ଼ଗାଁ, ଜିଲ୍ଲା ପରିଷଦ ସଭ୍ୟା, ଝିଲ୍ଲୀ ପ୍ରଧାନ, ବିରଜା ଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ଗାଁ ଅଞ୍ଚଳର ଜଣେ ଜଣାଶୁଣା ସାରସ୍ବତ ସାଧକ ତଥା ଶିକ୍ଷକ ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ବାରା ଲିଖିତ ସଙ୍କଳନ ‘ଅଲିଭା ସ୍ବର’ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଗାୟତ୍ରୀ ବିଦ୍ୟା ମନ୍ଦିର, ମଶାବାରୀ ତରଫରୁ ଶିକ୍ଷକ ପଞ୍ଚାନନ ପଣ୍ଡାଙ୍କ ଦ୍ବାରା କବିଙ୍କୁ ଏହି ଅବସରରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ନୃତ୍ୟକଳା ବେଶ ଉଚ୍ଚ କୋଟୀର ରହିଥିବା ବେଳେ ଏକଲବ୍ୟ ଡ୍ୟାନ୍ସଗୃପ, ସରସ୍ବତୀ ଡ୍ୟାନ୍ସଗୃପ, ଗଣେଶ ଡ୍ୟାନ୍ସଗୃପ, ରୁଲର୍ସ ଡ୍ୟାନ୍ସଗୃପର ନୃତ୍ୟାଭିନୟ ମନମୁଗ୍ଧକର ଥିଲା । କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ସାଗର ସଙ୍ଗମ ମେଲୋଡିର ମଜା ଉଠାଇଥିଲେ ଦର୍ଶକ ।

Leave A Reply

Your email address will not be published.