ବେଲଗୁଣ୍ଠା, ୨୭/୧୦,-(ଶିବରାମ ଚୌଧୁରୀ )-ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠା ବ୍ଲକ୍ ଓ ଏନ୍ଏସିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି, ଜନସାଧାରଣଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଆଶ୍ରୟସ୍ଥଳୀରେ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଙ୍ଗାପୁର ହରି ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ବେଲଗୁଣ୍ଠା ବ୍ଲକ୍ର ଉଡରା ଓ ବାଣତୁମ୍ବ ଗ୍ରାମ ପରିଦର୍ଶନ କରି ସେଠାରେ ଚାଲିଥିବା ଜନ ସ୍ଥାନାନ୍ତରଣ ପ୍ରକ୍ରିୟାର ତଦାରଖ କରିଥିଲେ। ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ଏବଂ ଆବଶ୍ୟକ ସମୟରେ ତୁରନ୍ତ ରିଲିଫ୍ ଓ ଉଦ୍ଧାର ସହାୟତା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ଓ ପରାମର୍ଶ ପାଳନ କରିବା ସହ ନିଜର ତଥା ପରିବାରର ସୁରକ୍ଷା ପାଇଁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ୪୮ ଜଣ ପୁରୁଷ,୬୦ ଜଣ ମହିଳା ଏବଂ ୫୮ ଜଣ ଶିଶୁଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।