ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ବାରଣାସୀ-ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରା

13


ଜଗତସିଂହପୁର ,ତା.୨୭.୧୦.୨୦୨୬ରିଖ– ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୮୫ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଅଛନ୍ତି । ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ ୨ ଗୋଟି ବସ୍ ଓ ଏକ ବୋଲେରୋ ଯୋଗେ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଭୁ ପ୍ରସାଦ ତରାଇ, ସାଂସଦ, ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧ୍ୟକ୍ଷା, ଜଗତସିଂହପୁର ପୌରପରିଷଦ ଏବଂ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ ପୂର୍ବକ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସେମାନଙ୍କ ଯାତ୍ରା ସୁଖମୟ ହେବା ପାଇଁ କାମନା କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ଜିଲ୍ଲାରୁ ସହାୟକ ଅଧିକାରୀ ଭାବେ ଶ୍ରୀ ଜୟନ୍ତ କୁମାର ନାୟକ, ଶ୍ରୀ ଯୁଧିଷ୍ଠିର ମହାରଣା ଓ ଶ୍ରୀ ରାଧାମୋହନ ଜେନା ଗସ୍ତ କରିଛନ୍ତି । ଆସନ୍ତାକାଲି ତା.୨୮.୧୦.୨୦୨୬ରିଖ ପୂର୍ବାହ୍ନ ୧୧.୩୦ ସମୟରେ ସ୍ଵତନ୍ତ୍ର ଟ୍ରେନ ଯୋଗେ ସେମାନେ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ଆଜି ସକାଳେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଶ୍ରୀମତୀ ମୀରାବାଈ ବେହେରା, ପର୍ଯ୍ୟଟନ ବିକାଶ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.