ଫେବୃଆରୀ ୨ରେ ହେବ ପ୍ରାଣ ପ୍ରତିଷ୍ଠା, ପ୍ରକୃତି କୋଳରେ ମା’ଙ୍କ ସାନିଧ୍ୟ ପାଇଁ ଲାଗିବ ଭିଡ
ଓଡଗାଁ, ୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଧାପୁର ଓ ମଗରବନ୍ଧ ପଞ୍ଚାୟତର ମଧ୍ୟ ସ୍ଥଳରେ ଫାସିପଲ୍ଲୀ ନିକଟସ୍ଥ ଚୋରଖୋଲ ଜାମୁକୋଣ ପାହାଡ଼ ଉପରେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଚଳିତ ଜାନୁଆରୀ ମାସ ୨୯ ତାରିଖ ଠାରୁ ଫ୍ରେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା, ମା’ ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା, ସ୍ଥାପନା ସହିତ ଶକ୍ତିଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଚତୁଃପାର୍ଶ୍ଵରେ ପର୍ବତମାଳା ପରିବେଷ୍ଟିତ ମଧ୍ୟ ସ୍ଥଳ ଜାମୁକୋଣ ପାହାଡ଼ ଉପରେ ମା’ଙ୍କ ମନ୍ଦିର । ସବୁଜ ବଳୟ ମଧ୍ୟରେ ୬୦ ଫୁଟ ଉଚ୍ଚରେ ନକ୍ଷତ୍ର ଭଳି ଶୋଭା ପାଉଥିବା ମା’ଙ୍କ ମନ୍ଦିର । ୧୮୦ ଫୁଟ ଆକାରର ପାର୍ବତ୍ୟ ସୁଡ଼ଙ୍ଗର ମଧ୍ୟ ଭାଗରେ ୧୦ରୁ ୧୦ ଫୁଟରେ ରହିଛି ଦେବୀଙ୍କ ଆସ୍ଥାନ । ୫ରୁ ସାଢ଼େ ୪ ଫୁଟୁରେ ମା’ଙ୍କ ମାର୍ବଲ ନିର୍ମିତ ମୂର୍ତ୍ତି ସ୍ଥାପନ ହେବ । ମନ୍ଦିର ସାମ୍ନାରେ ରହିଛି ଆରତୀ ମଣ୍ଡପ । ଯେଉଁଠି ପ୍ରାୟ ୪ଶହରୁ ଉର୍ଦ୍ଧ୍ବଲୋକ ଏକାଠି ମା’ଙ୍କ ଆରତୀ ଦର୍ଶନ କରିବେ । ଗୋଟିଏ ପାର୍ଶ୍ବରେ ଶ୍ରୀ ଗଣେଷ ଏବଂ ସାମ୍ନାରେ ୧୮ କୁଇଣ୍ଟାଲ ପିତଳରେ ନିର୍ମିତ ମାଦୁର୍ଗାଙ୍କ ଅଷ୍ଟଭୁଜା ମୂର୍ତ୍ତି । ଏହିଠାରୁ ମନ୍ଦିର ଦକ୍ଷୀଣ ପାର୍ଶ୍ବରେ ୫୫ ପାହାଚ ଅତିକ୍ରମ କରିବା ପରେ ସୁଡ଼ଙ୍ଗ ପଡ଼ିବ । ସେଠାରୁ ସୁଡ଼ଙ୍ଗ ମଧ୍ୟରେ ଯାଇ ମା’ଙ୍କ ଦର୍ଶନ ସାରି ଶ୍ରଦ୍ଧାଳୁ ମାନେ ଉତ୍ତର ଦ୍ଵାର ଦେଇ ୪୨ ପାହାଚ ଅତିକ୍ରମ କରି ପୂନରର୍ବାର ମା’ ଅଷ୍ଟଭୁଜା ଦୁର୍ଗାଙ୍କ ନିକଟରେ ପହଁଞ୍ଚିବେ । ମା’ଙ୍କ ନିକଟରେ ଭୋଗ ନଡ଼ିଆ ଏକ କ୍ଷୁଦ୍ର ସୁଡ଼ଙ୍ଗ ଦେଇ ପାହାଡ଼ ତଳକୁ ଆସିବ । ସେଠାରୁ ଶ୍ରଦ୍ଧାଳୁ ମାନେ ସେମାନଙ୍କ ଭୋଗ ସଂଗ୍ରହ କରିବାର ବ୍ୟବସ୍ଥା ରହିଛି । ପାନୀୟ ଜଳ ସହିତ ଆଲୋକ ଏବଂ ସୈାଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ବହୁ ସଂଖ୍ୟାରେ ଭକ୍ତ ସମାଗମ ହେଲେ ମଧ୍ୟ ପାହାଡ଼ ତଳେ ପ୍ରଶସ୍ତ ସମତଳ ଅଞ୍ଚଳ ରହିଥିବାରୁ ଯାନବାହନ ରଖିବାରେ କୈାଣସି ଅସୁବିଧା ହେବନାହିଁ । ମା’ଙ୍କ ମନ୍ଦିର ନିର୍ମାଣ ହୋଇଥିବା ପାହାଡ଼ର ଅନ୍ୟ ପାର୍ଶ୍ୱ ଶିଖରରେ ଭୈରନାଥ ଅସୁରଙ୍କ ଆସ୍ଥାନ ନିର୍ମାଣ ହୋଇଛି । ଦେବାଦେବୀଙ୍କ ପ୍ରତିଷ୍ଠା ପରେ ପର୍ଯ୍ୟଟକଙ୍କ ଲାଗି ନୟାଗଡ଼ ଜିଲ୍ଲାର ଉକ୍ତ ସ୍ଥାନଟି ଅଧିକ ଆକର୍ଷଣୀୟ ହେବ ବୋଲି ଦେଖିଥିବା ଲୋକେ କହନ୍ତି ।