ସେଲ୍ଫି ଗାର୍ଲ ମୃତ୍ୟୁ ରହସ୍ୟ : ଅପମୃତ୍ୟୁ ମାମଲା ମୁହାଉଁଛି ହତ୍ୟା ମାମଲା ଆଡକୁ 

0

ବଲାଙ୍ଗୀର/ନିରୋଜ ମିଶ୍ର :  ସେଲଫି ଗାର୍ଲ  ସିମ୍ରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଏକ ହତ୍ୟା ଘଟଣା ରୂପ ନେବାକୁ ଯାଉଛି |  ସିମ୍ରନ ପ୍ରେମିକ ଯୁବରାଜ ସୁନାକୁ ପୋଲିସ ଗିରଫ କରି ତଦନ୍ତ ଚଳାଇବା ଘଟଣାରୁ ଏହା ପ୍ରେମ ଆଉ ପ୍ରତାରଣାର  କରୁଣ ପରିଣତି ହୋଇପାରେ ବୋଲି ଆଶଙ୍କା  କରାଯାଉଛି |  ଅପମୃତ୍ୟୁ ମନମଲ ଏବେ ହତ୍ୟା ଆଶଙ୍କା ମାମଲା ରୂପ ନେଇ ସାରିଛି ଏକ ପ୍ରକାର |

ସେଲଫି ଗାର୍ଲ  ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଏକାଦିକ୍ରମେ ୩ ଜିଲାର ପୁଲିସ ଲାଗିଛନ୍ତି। ସିମ୍ରନଙ୍କ ମୃତଦେହ ମିଳିଥିବା ସ୍ଥାନ ଅନୁସାରେ ବୁର୍ଲା ପୁଲିସ, ଏତଲା ଦାୟର ହୋଇଥିବା ସ୍ଥାନ ଅନୁସାରେ ଝାରସୁଗୁଡ଼ା ପୁଲିସ ଓ ଅଭିଯୁକ୍ତର ବାସସ୍ଥାନ ଅନୁସାରେ ବଲାଙ୍ଗିର ଜିଲା ବେଲପଡ଼ା ପୁଲିସ ନିଜ ନିଜ ସ୍ତରରେ ମାମଲାର ସମାନ୍ତରାଳ ତଦନ୍ତ ଚଳାଇଛନ୍ତି। ଏହି ଘଟଣାରେ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ଓ ଝାରସୁଗୁଡ଼ା ଟାଉନ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।

ସିମ୍ରନ ମହାନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ପୋଲ ଉପରୁ ଫିଙ୍ଗି ଦିଆଯାଇଛି ପୁଲିସ ତାହା ତଦନ୍ତ କରୁଛି। ପାରିପାର୍ଶ୍ବିକ ପରିସ୍ଥିତି ଆଧାରରେ ପୁଲିସ ପ୍ରାଥମିକ ତଦନ୍ତ କରି ସିମ୍ରନ ଆତ୍ମହତ୍ୟା କରିଛନ୍ତି ବୋଲି କହୁଛି। ସେହି ଆଧାରରେ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କିନ୍ତୁ ସିମ୍ରନଙ୍କୁ ଆତ୍ମହତ୍ୟା କରିବା ପାଇଁ କେଉଁ ପରିସ୍ଥିତି ବାଧ୍ୟ କଲା ଓ ସେଥି ପାଇଁ ଦାୟୀ କିଏ; ପୁଲିସ ତାହା ଅନୁଧ୍ୟାନ କରୁଛି। ଯେହେତୁ ଏହା ଏକ ପ୍ରେମ ପ୍ରତାରଣା ଘଟଣା ବୋଲି ଆପାତତଃ ସୂଚନା ମିଳୁଛି ଓ ସିମ୍ରନଙ୍କ ପରିବାର ସିଧାସଳଖ ପ୍ରେମିକ ଯୁବରାଜ ନାମରେ ହତ୍ୟା ଅଭିଯୋଗ କରିଛନ୍ତି; ସେଥି ପାଇଁ ବେଲପଡ଼ା ପୁଲିସ ଯୁବରାଜଙ୍କୁ ଧରିଥିବା ବେଳ ଝାରସୁଗୁଡ଼ା ପୁଲିସ ତାକୁ ଆଣି ତଦନ୍ତ ଚଳାଇଛି | ଘଟଣାର ତଦନ୍ତ କରି ଶୁକ୍ରବାର ସକାଳୁ ବେଲପଡ଼ା ପୁଲିସ ଯୁଗ ସୁନାକୁ ଘରୁ ଉଠାଇ ଆଣି ଅଟକ ରଖିଥିବା ଜଣାପଡିଛି। ବେଲପଡ଼ା ପୁଲିସର ଜେରା ବେଳେ ଯୁବରାଜ ସିମ୍ରନଙ୍କ ମୃତ୍ୟୁ ଘଟଣାରେ ତା’ର କୌଣସି ପ୍ରକାର ସଂପୃକ୍ତି ନାହିଁ ବୋଲି କହିଛି। ଅବଶ୍ୟ ଅଭିଯୁକ୍ତ ସତ କହୁଛି ନା ମିଛ, ତାହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବେଲପଡ଼ା ପୁଲିସ କହିଛି।

ସିମ୍ରନଙ୍କ ପରିବାର ଯୁବରାଜର କାକା ରୁକୁ ସୁନାଙ୍କ ପରୋକ୍ଷ ସଂପୃକ୍ତି ପ୍ରତି ଇସାରା କରିଥିବା ବେଳେ ଆଜି ରୁକୁ ସଫେଇ ଦେଇ କହିଛନ୍ତି ଯେ ୟୁବରାଜ ତାଙ୍କ ଦୂର ସଂପର୍କୀୟ ପୁତୁରା। ସେ ଆଗରୁ ତାଙ୍କ ମେଲୋଡି ପାର୍ଟିରେ ନଚାନଚି କରୁଥିଲେ। କିନ୍ତୁ ଏବେ ତାଙ୍କଠାରୁ ସେ ଅଲଗା ହୋଇ ଅନ୍ୟ ମେଲୋଡି ପାର୍ଟିରେ ଅଛନ୍ତି। ତେଣୁ ଯୁବରାଜ ସହିତ ତାଙ୍କର ଆଉ କୌଣସି ସଂପର୍କ ନାହିଁ। ସେହି ଆଧାରରେ ସିମ୍ରନ ମୃତ୍ୟୁ ଘଟଣାରେ ତାଙ୍କୁ ଅଯଥା ଟାଣିଓଟାରି ପୂରା ନ ଯାଉ ବୋଲି ରୁକୁ କହିଛନ୍ତି।

ବୁର୍ଲା ଏସଡିପିଓ ଶିଶୁରଂଜନ ମହାପାତ୍ର କହିଛନ୍ତି ଯେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସିମ୍ରନ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ କିଛିଟା ସହାୟକ ହେବ। ତା’ବାଦ ସିମ୍ରନଙ୍କ ମୋବାଇଲ ଫୋନରେ ସେ କେସିଙ୍ଗା ଛାଡ଼ିବାରୁ ତା’ ପରଦିନ ତାଙ୍କ ଶବ ମିଳିବା ମଧ୍ୟରେ ୧୫୧ଟି  ମିସ୍‍ଡ କଲ ଓ ୪୬ଟି ମେସେଜ ଆସିଥିଲା। ତେଣୁ ଗତ କିଛି ଦିନ ମଧ୍ୟରେ ତାଙ୍କ ମୋବାଇଲ ଫୋନରେ କାହା କାହା ସହିତ କ’ଣ କ’ଣ କଥା ଲାଗିଛନ୍ତି ତା’ର ବିସ୍ତୃତ ରିପୋର୍ଟ (କଲ ଡିଟେଲ୍‍ସ) ସଂଗ୍ରହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଓ କଲ୍‍ ଡିଟେଲ୍‍ସ ହସ୍ତଗତ ହେଲେ ସିମ୍ରନ ମୃତ୍ୟୁର କାରଣ ଜାଣିବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି କାଗିଛନ୍ତି ଏସ୍ଡିପିଓ ଶ୍ରୀ ମହାପାତ୍ର | 

 

Leave A Reply

Your email address will not be published.