ଓଡ଼ଗାଁ, ୨୯।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଫିଲ୍ମ ହଲ୍ ଛକରୁ ଏକ ବୁଲେଟ୍ ମୋଟରସାଇକେଲ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଚୋରି ହୋଇଥିବା ବୁଲେଟ୍ର ନମ୍ବର ଓଡି ୦୨ ଡିଏଚ୍ ୩୩୦୭ ବୋଲି ଜଣାପଡ଼ିଛି। ଏ ନେଇ ଗାଡ଼ି ମାଲିକ ଆଶିତ୍ ରଞ୍ଜନ ବାରିକ ଗୁରୁବାର ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବୁଧବାର (୨୮ ତାରିଖ) ରାତି ପ୍ରାୟ ୧୨ଟା ପରେ ଆଶିତ୍ ଖାଇପିଇ ଘରର ଉପର ମହଲାରେ ଶୋଇବାକୁ ଯାଇଥିଲେ। ଗୁରୁବାର ସକାଳ ପ୍ରାୟ ୭ଟାରେ ଉଠି ଦେଖିବା ବେଳକୁ ତଳ ମହଲାର ଗ୍ୟାରେଜ୍ ଘରର ତାଲା ଭଙ୍ଗାଯାଇଥିବା ସହ ସେଠାରେ ରଖାଯାଇଥିବା ବୁଲେଟ୍ଟି ନଥିଲା। ଏଥିସହ ଉପର ମହଲାର ଏକ କବାଟରେ ପଡ଼ିଥିବା ତାଲା ମଧ୍ୟ ଭଙ୍ଗାରୁଜା ହୋଇଥିବା ସେ ଦେଖିବାକୁ ପାଇଥିଲେ। ଘରେ ସିସିଟିଭି କ୍ୟାମେରା ଲାଗିଥିବା ସତ୍ତ୍ୱେ ଏଭଳି ଚୋରି ଘଟଣା ଘଟିଥିବାରୁ ଏହାକୁ ନେଇ ଅଭିଯୋଗକାରୀ ଥାନାରେ ଉଚିତ୍ ତଦନ୍ତ ପାଇଁ ନିବେଦନ କରିଛନ୍ତି। ପୁଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ସହ ଚୋରି ହୋଇଥିବା ବୁଲେଟ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।