ବିଜେଡ଼ି ଛାତ୍ର ନେତା ଓ ସମର୍ଥକଙ୍କ ଲଙ୍କାକାଣ୍ଡ ; ବିଜୁ ଭବନରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

0

ଛାତ୍ର ନେତା ସହିତ ୨ ଗିରଫ, ସହଯୋଗି ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୮କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ନିମନ୍ତେ ଡ଼ିସେମ୍ବର ୩୧ ରାତି ବାରିପଦା ପୌରବାସୀ ମତୁଆଲା ହୋଇ ଉଠିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପାଶ୍ୱର୍ରେ ଥିବା ବିଜୁ ଭବନ ତଥା ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟରେ ଘଟିଯାଇଥିଲା ଲଙ୍କା କାଣ୍ଡ । ଏହି କାଣ୍ଡ ବାହାରର ଲୋକେ କେହି ଘଟାଇ ନ ଥିଲେ; ଖୁଦ ମୟୂରଭଞ୍ଜ-୧ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଦେବଜିତ୍ ଓରଫ ଜିତ୍ ପଟ୍ଟନାୟକଙ୍କ ନେତୃତ୍ୱ ଓ ତାଙ୍କର କେତେକ ସମର୍ଥକମାନେ ଏହି କାର୍ଯ୍ୟ କରିଛନ୍ତି । ବିଜୁ ଭବନର ଦରଜା ଭାଙ୍ଗି ଭିତରେ ପ୍ରବେଶ କରି ଏସି, ଚେୟାର, ଟେବୁଲ ସହିତ ବିଜୁବାବୁ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋଚିତ୍ର ଅନ୍ୟାନ୍ୟ ଆସବାବପତ୍ରକୁ ଭଙ୍ଗାରୁଜା କରିବା ସହିତ ଭିତରେ ଥିବା ଏକ ଏଲସିଡ଼ି ଟିଭି ଉଭାନ ହୋଇଯାଇଥିବାର କାର୍ଯ୍ୟାଳୟ ସାଧାରଣ ସମ୍ପାଦକ ଶୈଳେନ୍ଦ୍ର କୁମାର ପାତ୍ର ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୨/୨୦୧୯ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ବିଜୁ ଭବନ ତଥା ବିଜେଡ଼ି କାର୍ଯ୍ୟାଳୟରେ ଏହି ଭଙ୍ଗାରୁଜା କରିବା ପରେ ଅଭିଯୁକ୍ତମାନେ ମୟୂରଭଞ୍ଜ ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ବାସଭବନ ସମ୍ମୁଖରେ ପହଁଞ୍ଚି ଥିଲେ । ଏହି ସମୟରେ ଘରର ମହିଳାମାନେ ବେଲକୋନୀରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତ ଦେବଜିତ୍ ଓରଫ ଜିତ୍ ଓ ତାଙ୍କ ସହଯୋଗୀମାନେ ସେମାନଙ୍କ ଉପରକୁ ଢେ଼ଲା ମାଡ଼ କରିବା ପରେ ବାହାରେ ଛିଡ଼ା ହୋଇଥିବା ସ୍କର୍ପିଓ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଏହି ଘଟଣାକୁ ନେଇ ଜିଲା ଯୁବ ବିଜେଡ଼ି ସଭାପତି ଶ୍ରୀମହାନ୍ତିଙ୍କ ବଡ଼ ଭାଇ ବିଶ୍ୱନାଥ ମହାନ୍ତିଙ୍କ ଅଭିଯୋଗ କ୍ରମେ ଥାନାରେ ୦୧/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା-୧ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଜିତ୍ ପଟ୍ଟନାୟକ ସହିତ ସହ ଯୋଗୀ ଚିନ୍ମୟ କୁମାର ଦାସଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲେ । ବିଜେଡ଼ି ଏକ ଶୃଙ୍ଖଳିତ ଦଳ ହୋଇଥିବାରୁ ଦଳ ପକ୍ଷରୁ ଜିତ୍ ଓପଫ ଦେବଜିତ୍ ପଟ୍ଟନାୟକଙ୍କୁ ଛାତ୍ର ବିଜେଡ଼ିର ସାଧାରଣ ସମ୍ପାଦକ ପଦବୀରୁ ନିଲମ୍ବିତ କରାଯାଇଛି । ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଭୟ ସିଂ ଗଣମାଧ୍ୟମକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । 

Leave A Reply

Your email address will not be published.