ସମ୍ଭାବ୍ୟ ବାତ୍ୟା ଦାନା ର ମୁକାବିଲା ପାଇଁ ଭଞ୍ଜନଗର ରେ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ସୋମବାର ଅକ୍ଟୋବର ମାସ ୨୧ ତାରିଖ ୨୦୨୪ ଦିନ ଭଞ୍ଜନଗର ବ୍ଲକ ସଭା ଗୃହରେ ଏନେଇ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ମନ୍ମଥ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତହସିଲଦାର ଉମାଶଙ୍କର ବେହେରା,ପୁର୍ତ୍ତବିଭାଗ ଯନ୍ତ୍ରୀ ପ୍ରତାପ ନାୟକ,ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ, ସିଡିପିଓ ମିଲିମା କୁମାରୀ ପଣ୍ଡା,ଅତିରିକ୍ତ ତହସିଲଦାର ଅବିନାଶ ମେହେର ପ୍ରମୁଖ ଉପସ୍ଥିତ ରହି ବାତ୍ୟା ପୁର୍ବ ଓ ପରବର୍ତ୍ତୀ ସମୟରେ କିଭଳି ପରିଚାଳନା କରାଯିବ ସେନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କୁ ଅବଗତ କରାଇଥିଲେ। ଜିରୋ କାଜୁଆଲିଟି ଉପରେ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଛି। ବାତ୍ୟା ପୁର୍ବରୁ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିକଟସ୍ଥ ବିଦ୍ୟାଳୟ ସମେତ ସରକାରୀ କୋଠା ଭଳି ସୁରକ୍ଷିତ କୁ ସ୍ତାନାନ୍ତର କରାଯିବ। ବର୍ତ୍ତମାନ ଖରିଫ୍ ଧାନ ପାଚିବା ସମୟ ହୋଇଥିବାରୁ ପାଚିଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନକୁ ଆଣି ରଖିବାକୁ ଚାଷୀ ଙ୍କୁ ପରାମର୍ଶ ଦିଆଯାଇଛି। ସେହିଭଳି ବିଦ୍ୟୁତ ,ସ୍ବାସ୍ଥ୍ୟ,ପାନୀୟଜଳ ବିଭାଗ ପକ୍ଷରୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସୁତି ମହିଳା (ଗର୍ଭବତୀ)ଙ୍କୁ ବାତ୍ୟା ପୁର୍ବରୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି। ବାତ୍ୟା ସମୟ ରେ ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରି ଯେପରି ନହୁଏ ସେଦିଗରେ ଯୋଗାଣ ଅଧିକାରୀ ଦୃଷ୍ଟି ଦେବା ସହ ଆଶ୍ରୟସ୍ଥଳୀ ଗୁଡିକରେ ରେ ପ୍ରଚୁର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପରବର୍ତ୍ତୀ ସମୟ ରେ ଯୁଦ୍ଧ କାଳିନ ଭିତିରେ ବିଦ୍ୟୁତ ଯୋଗାଣ,ପାନୀୟ ଜଳ ବ୍ୟବସ୍ଥା, ପଡି ଥିବା ଗଛ କାଟି ରାସ୍ତା ସଫା କରାଯିବା ଦିଗରେ ଯତ୍ନବାନ ହେବାକୁ ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି। ବୈଠକରେ ରାଜସ୍ବ,ଅଗ୍ନିଶମ,ପଞ୍ଚାୟତିରାଜ,ସ୍ବାସ୍ଥ୍ୟ ବିଦ୍ୟୁତ,ପୁର୍ତ୍ତ,ଯୋଗାଣ,ମହିଳା ଓ ଶିଶୁ ବିକାଶ,ଶିକ୍ଷା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ଉପଖଣ୍ଡ ସୁଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥି, ଏବିଡିଓ ପୁର୍ଣ୍ଣଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.