“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି”
ଭୁବନେଶ୍ୱର : “ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।” ବୋଲି ସମ୍ପ୍ରତି ଚାଲିଥିବା ରେଭେନ୍ସା ପ୍ରସଙ୍ଗ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତି ଦିଆଯାଉଥିବା କଟୁ ମନ୍ତବ୍ୟ ପରିପ୍ରେକ୍ଷୀରେ ବିଳମ୍ବରେ ହେଲେ ବି ମୁହଁ ଖୋଲି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ସୋସିଆଲ ହାଣ୍ଡଲରେ ନିଜ ପ୍ରତିକ୍ରିୟା ରଖି ରେଭେନ୍ସା ପ୍ରସଙ୍ଗରେ(ଯଦିଓ ସିଧାସଳଖ ରେଭେନ୍ସା ନାଁ ନେଇନାହାନ୍ତି) ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ” ନିଜ ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।
ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ” ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ? କଥାରେ କୋଣାର୍କ ହୁଏ ନାହିଁ। ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।
ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”
