ଲୁହାରପାଲି, କବିବରପୁର ସମେତ ଏକାଧିକ ଗାଁରେ କଟକଣା ଓ ସତର୍କ କରୁଛି ବନ ବିଭାଗ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ବନାଞ୍ଚଳ ଅନ୍ତର୍ଗତ କବିବରପୁର ଜଙ୍ଗଲରେ ହାତୀ ପଲ ପଶି ଆସିବା ସହ ସଂଲଗ୍ନ ଗ୍ରାମଗୁଡ଼ିକରେ ବୁଲାବୁଲି କରୁଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀଟିର କ୍ରମଗତ ସଞ୍ଚାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ହାତୀପଲ ଲୁହାରପାଲି, କବିବରପୁର, ବିଜାଡ଼ିହି, ପଲସଦା ଏବଂ ଖଇରା ଆଦି ଗାଁ ଓ ଆଖପାଖ ଜଙ୍ଗଲ ମଧ୍ୟରେ ଚଳପ୍ରଚଳ କରୁଛନ୍ତି ।ଜନସାଧାଣଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ତରଫରୁ ଉପରୋକ୍ତ ଗ୍ରାମଗୁଡ଼ିକ ସମେତ ସମସ୍ତ ଆଖପାଖ ଅଞ୍ଚଳରେ କଡ଼ା ସତର୍କତା ଜାରି କରାଯାଇଛି। ବିଶେଷ କରି ସନ୍ଧ୍ୟା ଏବଂ ରାତି ସମୟରେ ଏହି ଜଙ୍ଗଲ ରାସ୍ତାରେ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି। ସକାଳୁ କିମ୍ବା ସନ୍ଧ୍ୟାରେ ଏକାକୀ କ୍ଷେତ କିମ୍ବା ଜଙ୍ଗଲ ଆଡ଼କୁ ନ ଯିବାକୁ କୁହାଯାଇଛି।

ବନ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହ ମିଶି ହାତୀପଲ ର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ହାତୀ ଦେଖିବା ମାତ୍ରେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଏବଂ କୌଣସି ପରିସ୍ଥିତିରେ ହାତୀ ନିକଟତର ନ ହେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।