ଉଦ୍ଧାର ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ବର, ୦୫|୦୯ – ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁ ଧାବୀରେ ଫସିଥିବା ଓଡିଆ ଯୁବକ ରାଜୀବ କୁମାର ପରିଡା ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି| ରାଜୀବଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଗତ ଜୁଲାଇ ୨୭ ତାରିଖରେ ଏକ ଚିଠି ଲେଖି ନିବେଦନ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ପତ୍ରପୁର ଗ୍ରାମ ପଞ୍ଚାୟତର ବିଲିକଣା ଗ୍ରାମର ରବୀନ୍ଦ୍ର ନାରାୟଣ ପରିଡାଙ୍କ ସାନ ପୁଅ ରାଜୀବ ପରିଡା ୨୦୦୮ ରୁ ଆବୁ ଧାବିର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ| କମ୍ପାନୀ କତୃପକ୍ଷ ୨୦୨୧ ମସିହାରେ ରାଜୀବଙ୍କୁ ଚାକିରିରୁ ଅବ୍ୟାହତି ଦେଇଥିଲେ ଏବଂ ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଦେବା ପର୍ଯନ୍ତ ରହିବା ଏବଂ ଖାଇବାକୁ ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ହଠାତ ଖାଇବାକୁ ଦେବା ବନ୍ଦ କରିଦେଇଥିଲେ ଏବଂ ଭିସା ଓ ପାସପୋର୍ଟ ଫେରାଇନଥିଲେ|
ଶେଷରେ ପରିବାର ଲୋକ ରାଜୀବଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ | ଏହି ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ| ରାଜୀବ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ପ୍ରତିନିଧି ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ| ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତ୍ତଜ୍ଞତା ଜଣାଇଛନ୍ତି| ଶ୍ରୀ ପଣ୍ଡା ମଧ୍ୟ ଦୂତାବାସର ତ୍ଵରିତ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି|