ସେବା ସେତୁ ଶିବିର ମାଧ୍ୟମରେ ଟିପିଏନଓଡିଏଲ୍ ଦ୍ଵାରା ପିଏମ୍ ସୂର୍ଯ୍ୟଘର ଯୋଜନାର ବ୍ୟାପକ ସଚେତନତା ଅଭିଯାନ ଜାରି

31

•          ଜିଲ୍ଲାପାଳଙ୍କ ଦ୍ଵାରା କେନ୍ଦୁଝରରେ ସୋଲାର ରଥର ଶୁଭାରମ୍ଭ

 ବାଲେଶ୍ୱର, ୧ ଅକ୍ଟୋବର ୨୦୨୬: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କରିବା ଏବଂ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଆବଶ୍ୟକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) କେନ୍ଦୁଝରରେ ଏକ ନୂତନ ଏଲଇଡି ସୋଲାର ରଥର ଶୁଭାରମ୍ଭ କରିବା ସହ ଜିଲ୍ଲାର ବିଭିନ୍ନ ବ୍ଲକରେ ସେବା ସେତୁ ଶିବିରର ଆୟୋଜନ କରିଛି।

କେନ୍ଦୁଝର ସଦରଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବିଶାଳ ସିଂହ ଏଲଇଡି ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ମନ୍ଦାରଧର ମହାଲିକ, ଏଡିଏମ୍, କେନ୍ଦୁଝର; ଶ୍ରୀ ରାଜୀବ କୁମାର ନାୟକ, ମୁଖ୍ୟ ଯନ୍ତ୍ରୀ – ସୌର ପ୍ରକଳ୍ପ; ଶ୍ରୀ ରଶ୍ମିକାନ୍ତ ବେହେରା, ଅଧୀକ୍ଷଣ ଯନ୍ତ୍ରୀ, କେନ୍ଦୁଝର ବିଦ୍ୟୁତ୍ ମଣ୍ଡଳ, ଜିଲ୍ଲା ପ୍ରଶାସନ ଅଧିକାରୀବୃନ୍ଦ, ଟିପିଏନଓଡିଏଲ୍‌ ପ୍ରତିନିଧି ଏବଂ ସ୍ଥାନୀୟ ଉପଭୋକ୍ତାମାନେ ଉପସ୍ଥିତ ଥିଲେ। ଏହି ରଥ ଗ୍ରାମାଞ୍ଚଳ, ବ୍ୟବସାୟିକ ଅଞ୍ଚଳ ଏବଂ ପ୍ରମୁଖ ସାର୍ବଜନୀନ ସ୍ଥାନଗୁଡ଼ିକରେ ପହଞ୍ଚି ଉପଭୋକ୍ତାଙ୍କ ମଧ୍ୟରେ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ପିଏମ୍ ସୂର୍ଯ୍ୟ ଘର ଯୋଜନା, ଯୋଗ୍ୟତା, ସରକାରଙ୍କ ପକ୍ଷରୁ ଉପଲବ୍ଧ ସବସିଡି ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଉପଭୋକ୍ତାଙ୍କୁ ସୂଚନା ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବାରେ ସହାୟକ ହୋଇପାରିବ ।

ଏହି ଅବସରରେ ସେବା ସଂକଳ୍ପ ଅଭିଯାନର ରୂପରେଖ ନେଇ ପାଟଣା, ଘସିପୁରା ଏବଂ କେନ୍ଦୁଝର ସଦର ବ୍ଲକରେ ସେବା ସେତୁ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରଗୁଡ଼ିକରେ ଉପଭୋକ୍ତାମାନେ ଟିପିଏନଓଡିଏଲ୍‌ର ସୋଲାର କର୍ତ୍ତୃପକ୍ଷ, ଗ୍ରାହକ ସେବା ଅଧିକାରୀ ଏବଂ ସହକାରୀ ସଂସ୍ଥା ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରି ରୁଫ୍‌ଟପ୍ ସୋଲାର ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଓ ଆବଶ୍ୟକ ସହାୟତା ପାଇଥିଲେ। ଏନେଇ ଜାରି ଅଭିଯାନରେ ଉପଭୋକ୍ତା, ସ୍ଥାନୀୟ ପ୍ରଶାସନ, ଜନପ୍ରତିନିଧି ଏବଂ ଅଞ୍ଚଳର ବହୁ ବ୍ୟକ୍ତିବିଶେଷଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ସେବା ସେତୁ ଶିବିର ମାଧ୍ୟମରେ ଗୋଟିଏ ଦିନରେ ୫ଟି ଜିଲ୍ଲାରେ ୩୮୫ରୁ ଉର୍ଦ୍ଧ୍ଵ ଉପଭୋକ୍ତା ଏହି ଯୋଜନା ପାଇଁ ପଞ୍ଜୀକରଣ କରିଥିଲେ ।

ଏହି ପଦକ୍ଷେପ ସମ୍ପର୍କରେ ଟିପିଏନଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ଗ୍ରାହକଙ୍କ ନିକଟରେ ରୁଫ୍‌ଟପ୍ ସୋଲାର ସମ୍ପର୍କିତ ସଚେତନତା ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଦିଗରେ କେନ୍ଦୁଝର ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ ଆମର ଆଉ ଏକ ପ୍ରୟାସ। ସେବା ସେତୁ ଶିବିର ତଥା ସୋଲାର ରଥ ମାଧ୍ୟମରେ ଆମ ଅଧିକାରୀମାନେ ସିଧାସଳଖ ଭାବେ ଉପଭୋକ୍ତାଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ପ୍ରଶ୍ନର ସମାଧାନ ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ରୁଫ୍‌ଟପ୍ ସୋଲାର ଗ୍ରହଣ ପ୍ରକ୍ରିୟାରେ ଆବଶ୍ୟକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ଆମର ସମସ୍ତ ଅଂଶୀଦାରଙ୍କ ନିରନ୍ତର ସହଯୋଗରେ ଉତ୍ତର ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ସମାଧାନକୁ ଅଧିକ ସୁଲଭ କରିବା ଏବଂ ରୁଫ୍‌ଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛୁ ।”

ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା, ଘରୋଇ ଉପଭୋକ୍ତାଙ୍କୁ ରୁଫ୍‌ଟପ୍ ସୋଲାର ଲଗାଇବା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି । ଏହା ମାଧ୍ୟମରେ ସବୁଜ ଶକ୍ତି ବ୍ୟବହାରରେ ବୃଦ୍ଧି ହେବା ସହ ଉପଭୋକ୍ତାମାନେ ନିଜର ବିଦ୍ୟୁତ୍ ଖର୍ଚ୍ଚରେ ହ୍ରାସ କରିପାରୁଛନ୍ତି । ଗ୍ରାହକଙ୍କ ପାଖରେ ଯୋଜନାର ସୂଚନା ଓ ଆବେଦନ ସହାୟତା ପହଞ୍ଚାଇବା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଆଗାମୀ ଦିନରେ ସେବା ସେତୁ ଶିବିର ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ଟିପିଏନଓଡିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି I

Leave A Reply

Your email address will not be published.