ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର, ଗାଧୋଇବାକୁ ଯାଇ ଫେରି ନଥିଲେ

8

ବେଲଗୁଣ୍ଠା , ୨/୧୦: -(ଶିବରାମ ଚୌଧୁରୀ )-ଗୁରୁବାର ସଂଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶବ ଶୁକ୍ରବାର ସକାଳେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଜଡ଼ାପଲ୍ଲୀ ଗ୍ରାମର ବିପ୍ର ମଳିକ (୫୮) ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ବିପ୍ର ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀରେ ସେ ବୁଡ଼ିଯାଇଥିବା ସନ୍ଦେହରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଅଗ୍ନିଶମ ବାହିନୀ ଗୁରୁବାର ରାତିରେ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ବିପ୍ରଙ୍କ ସନ୍ଧାନ ମିଳିନଥିଲା। ଶୁକ୍ରବାର ସକାଳେ ପୁନର୍ବାର ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରାଯିବା ପରେ ପ୍ରାୟ ୯ଟା ସମୟରେ ପୋଖରୀରୁ ବିପ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ଏନେଇ ମୃତକଙ୍କ ପୁତୁରା ରାଜେନ୍ଦ୍ର ମଳିକ ଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ୧୯/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏସ୍‌ଆଇ ଏସ୍‌. ପାଲକ୍‌ ଘଟଣାର ତଦନ୍ତ କରୁଛନ୍ତି। ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.