ପୋଖରୀ ସଫେଇ ଦାବିରେ ବୁରୁପଡ଼ାରେ ରାସ୍ତାରୋକ

10

-ଦୀର୍ଘଦିନ ଧରି ଅବହେଳିତ ‘ଓସ୍ତ ବନ୍ଧ’; ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସୀ

-ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଅବରୋଧ,ଶୀଘ୍ର ସଫେଇ ଆରମ୍ଭ ନେଇ ନିଷ୍ପତ୍ତି

ହିଞ୍ଜିଳିକାଟୁ:୦୨/୧୦/୨୬(ରଜତ ପଟ୍ଟନାୟକ)ପୋଖରୀ ସଫେଇ ଦାବିରେ ତାତିଲେ ଗ୍ରାମବାସୀ।ଦୀର୍ଘଦିନ ଧରି ଅବହେଳିତ ହୋଇପଡ଼ିଥିବା ବୁରୁପଡ଼ା ଗ୍ରାମଦେବତୀ ସାହିସ୍ଥିତ ‘ଓସ୍ତ ବନ୍ଧ’ର ସଫେଇ ଦାବିରେ ଶୁକ୍ରବାର ଗ୍ରାମବାସୀ ଶେରଗଡ଼-ହିଞ୍ଜିଳି ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।ଟାୟାର ଜାଳି ରାସ୍ତାରେ ବସି ରହିବାରୁ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ପୋଖରୀଟି ସଫେଇ ହୋଇନଥିବାରୁ ଏହା ଅଳିଆ ଆବର୍ଜନାରେ ଭରିଯିବା ସହ ଅବ୍ୟବହୃତ ହୋଇପଡିରହିଛି।ପୋଖରୀ ସଫେଇ ଓ ପୁନରୁଦ୍ଧାର ପାଇଁ ପଞ୍ଚାୟତ ପ୍ରଶାସନକୁ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି।ପୋଖରୀର ତୁରନ୍ତ ସଫେଇ,ପୁନରୁଦ୍ଧାର ସହ ନିୟମିତ ରକ୍ଷଣାବେକ୍ଷଣ ଦାବିରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଥିଲେ।ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।ଅନ୍ୟପକ୍ଷରେ,ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ ପୋଖରୀ ସଫେଇ ପାଇଁ ବାରମ୍ବାର ଦାବିପତ୍ର ଦିଆଯାଇ ଆସୁଥିଲେ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ଖୁବ୍‌ଶୀଘ୍ର ପୋଖରୀ ସଫେଇ କାର୍ଯ୍ୟ ଆରମ୍ଭ କରିବା ନେଇ ନିଷ୍ପତ୍ତି ହୋଇଥିବା ସେ ସୂଚନା ଦେଇଥିବା ଖବର ମିଳିଛି।ରାସ୍ତାରୋକ ଖବର ପାଇ ହିଞ୍ଜିଳି ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନେବାର ପ୍ରତିଶ୍ରୁତି ପରେ ଗ୍ରାମବାସୀ ରାସ୍ତାରୁ ହଟିଥିଲେ। ଏହାପରେ ଶେରଗଡ଼-ହିଞ୍ଜିଳି ରାସ୍ତାରେ ପୁଣି ଯାତାୟାତ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.