“ଓଡ଼ିଶାର ଶିଳ୍ପ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ହିଣ୍ଡାଲକୋ”

5

ସମସ୍ତ ସହାୟତା ଯୋଗାଇବେ ଓଡିଶା ସରକାର ‐ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ


ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର:‐ ଆଦିତ୍ୟ ବିର୍ଲା ଗ୍ରୁପ୍ ର ମେଟାଲ ଫ୍ଲାଗସିପ୍ କମ୍ପାନି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓଡ଼ିଶାର ଶିଳ୍ପ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ବୁଧବାର ବିଧାନସଭା କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସହ ବୈଠକ ରେ ହିଣ୍ଡାଲକୋର ଓଡ଼ିଶା ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର ସୂଚନା ଦେଇଛନ୍ତି ଯେ, ରାଜ୍ୟ ଭିତରେ ବିଭିନ୍ନ ଆଗାମୀ ଓ ସମ୍ପ୍ରସାରଣ ପ୍ରକଳ୍ପରେ କଂପାନି ପକ୍ଷରୁ ୨୫ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରିବାକୁ ଯୋଜନା ରହିଛି। ହିଣ୍ଡାଲକୋ ୮ ହଜାର କୋଟି ଟଙ୍କା ବିନିଯୋଗରେ ରାୟଗଡ଼ା ଜିଲ୍ଲା କଂଶାରୀଗୁଡା ଠାରେ ଆଦିତ୍ୟ ଆଲୁମିନା ରିଫାଇନାରୀ ନାମରେ ୨ ଏମ୍ଟିପିଏ ଆଲୁମିନା ବିଶୋଧନାଗାର ସ୍ଥାପନ କରୁଛି। ହୀରାକୁଦଠାରେ ୬ ହଜାର କୋଟି ଟଙ୍କା ବିନିଯୋଗରେ ୧୦୦୦ ମେଗାଓ୍ଵାଟ୍ ର ଫ୍ଲୋଟିଂ ସୌର ଶକ୍ତି ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ବେଳେ ସମ୍ବଲପୁର ଜିଲ୍ଲା ଲପାଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ କମ୍ପାନି ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ଅଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକ ବିପୁଳ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବ।
     ହିଣ୍ଡାଲକୋ ସଭାପତି ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ବର୍ତ୍ତମାନ ହିଣ୍ଡାଲକୋ ଓଡ଼ିଶା ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ଷମ ଶିଳ୍ପାନୁଷ୍ଠାନରେ ୩୩,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରି ସାରିଛି ଏବଂ ୨୧,୦୦୦ ରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରିଛି।
     ଉପମୁଖ୍ୟମନ୍ତ୍ରୀ ସରକାରଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ବର୍ତ୍ତମାନର ଏବଂ ଆଗାମୀ ସମସ୍ତ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.