ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦ୍ଯାପିତ : ଡବଲ ଇଂଜିନ ସରକାରରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ- ମୁଖ୍ୟମନ୍ତ୍ରୀ l
(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଦୁଇଦିନ ହେବ ଚାଲି ଗୁରୁବାର ଉଦଯାପିତ ହୋଇଛି । ବିଦ୍ୟାଳୟର ଖେଳପଡ଼ିଆ ମିନି ଷ୍ଟାଡ଼ିୟମ୍ ରେ ଆୟୋଜିତ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବିଗତ ଚବିଶ ବର୍ଷ ମଧ୍ୟରେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ବିଶେଷ କରି ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ଅବସ୍ଥାରେ ଗତି କରୁଥିଲାବେଳେ ଉଚ୍ଚ ଶିକ୍ଷା କଥା ନକହିଲେ ଭଲ ବୋଲି କହିଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କିମ୍ବା ଦୁଇଟି ବିଦ୍ୟାଳୟର ଭିତ୍ତିଭୂମିକୁ ଭଲଭାବରେ ଗଠନ କରାଯିବା ସହିତ ଆବଶ୍ୟକ ମୁତାବକ ଶିକ୍ଷକ ନିଯୁକ୍ତି କରାଯାଇ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ଆସନ୍ତା ବଜେଟରେ ଶିକ୍ଷାବିଭାଗ ପ୍ରତି ବିଶେଷ ଗୁରୁତ୍ବ ଦିଆଯିବା କଥା କହି ରାଜ୍ୟରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ସହଯୋଗ ମଧ୍ୟ ଲୋଡ଼ିଥିଲେ । ୧୯୬୦ ମସିହାରୁ ଶିକ୍ଷାନୁରାଗୀ ଜମିଦାର ଅହମ୍ମଦ ବକ୍ସ ନାମରେ ନାମିତ ହୋଇଥିବା ଏହି ବିଦ୍ୟାଳୟଟି ଶିକ୍ଷାଦାନ କ୍ଷେତ୍ରରେ ଆଲୋକ ବର୍ତ୍ତିକା ପାଲଟିଛି ଏବଂ କଟକ ଜିଲ୍ଲାରେ ସୁନାମ ମଧ୍ୟ ଅର୍ଜନ କରିଛି । ଖୁବ୍ ଶୀଘ୍ର ଏହି ବିଦ୍ୟାଳୟକୁ ଏକ ଜ୍ଞାନର ପ୍ରୟୋଗଶାଳା କରାଯିବ ଓ ଏଠାକାର ପିଲାମାନେ ବୈଭବଶାଳୀ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ନେବେ ବୋଲି ସେ ପ୍ରକାଶ କରିଥିଲେ । ଆଧୁନିକ ଓଡ଼ିଶା ଗଠନ ଓ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ଏ ଅଞ୍ଚଳରେ ଜନ୍ମ ନେଇଥିବା ଉତ୍କଳ ଗୌରବ ମଧୁସୂଦନଙ୍କ ଭୂମିକା ଅତୁଳନୀୟ ଏବଂ ଗଣକବି ବୈଷ୍ଣବ ପାଣି ଆମ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ସେ ଉଦବୋଧନ ଦେଇଥିଲେ ।
ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ବରେ ଏଥିରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ବିଗତ ଦିନ ମାନଙ୍କରେ କେନ୍ଦ୍ରର ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ପ୍ରଚଳନ କରୁନଥିବାରୁ ଜନସାଧାରଣମାନଙ୍କ ବହୁ କ୍ଷତିସାଧନ ହୋଇଥିବା ପ୍ରକାଶ କରିଥିଲେ । ଏଥର ଡ଼ବଲ ଇଂଜିନ ସରକାରରେ କେନ୍ଦ୍ର ଓ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇ ମୋଦୀ ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ଗୁଡ଼ିକୁ ସଠିକ୍ ଢଙ୍ଗରେ ପାଳନ କରିଥିବାବେଳେ ଓଡ଼ିଶାକୁ ୫ ବର୍ଷ ମଧ୍ୟରେ ଦେଶରେ ୧ ନଂ ରାଜ୍ୟରେ ପରିଣତ କରାଯିବ ବୋଲି କହିଥିଲେ । ଏକମାସ ଶାସନ କାଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ପ୍ରମାଣ କରିସାରିଥିବା ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ୧୯୪୬ ମସିହାରେ ଏ ଅଞ୍ଚଳରେ ପ୍ରଜ୍ଵଳିତ ହୋଇଥିବା ଶିକ୍ଷାର ପ୍ରଦୀପ ଆଜିର ଜ୍ଞାନର ଆଲୋକ ବିକିରଣ କରୁଛି । ଯାହାଦ୍ୱାରା ଏ ଅଞ୍ଚଳର ଶିକ୍ଷାର୍ଥୀମାନେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରାନ୍ତ କରି ଚାଲିଥିବା ସଂକ୍ରାନ୍ତରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆର୍ଶିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସାଦ ନାୟକ,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସାଇଁ, ବଡ଼ମ୍ବା ବିଧାୟକ ବିଜୟଦଳ ବେହେରା ଓ ସୋରଡ଼ା ବିଧାୟକ ନୀଳ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କୁ ରାଧାକୃଷ୍ଣ ମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ଅସ୍ମିତାର ପ୍ରତୀକ ହୀରକ ଜୟନ୍ତୀ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରାଯାଇଥିଲା ବେଳେ ହୀରକ ଜ୍ୟୋତି ଲୋକାର୍ପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ଦେବେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନଶିକ୍ଷୟିତ୍ରୀ କାଦମ୍ବିନୀ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଅକ୍ଷୟ କୁମାର ଷଢଙ୍ଗୀ, ସ୍ୱାଧୀନାନନ୍ଦ ପରିଡ଼ା ସଂଯୋଜନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ପୁରାତନ ବିଦ୍ୟାର୍ଥୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।