ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଗୁରୁବାର ଅପରାହ୍ନରେ ବ୍ଳକ ସଭା ଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ଓ ପୁରୀ ସାଂସଦ ଡା. ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରାଯାଇଥିଲା । ଆଜି ବାଚସ୍ପତି ଓ ସାଂସଦଙ୍କୁ ବହୁଳ ମାତ୍ରାରେ ବିଜେପି କର୍ମୀ ବାଣ ଫୁଟାଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନକରି ବ୍ଲକ ମଧ୍ୟକୁ ପାଛୋଟି ନେଇଥିଲେ । ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ବାଚସ୍ପତି ସୁରମା ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ମିଳିତ ଭାବେ ବ୍ଲକର ବିକାଶ କରିବାକୁ ହେବବୋଲି ଆହ୍ବାନ ଦେଇଥିଲେ । ଦିର୍ଘଦିନ ଧରି ପଡ଼ି ରହିଥିବା କାର୍ଯ୍ୟ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଲୋକ ପ୍ରତିନିଧିମାନେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ ।ଓଡ଼ଗାଁ ବ୍ଲକ୍ ରଣପୁର ନିର୍ବାଚନ ମଣ୍ତଳୀର ୧୮ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ନେଇ କିଛି ପ୍ରତିନିଧି ସ୍ବର ଉଠାଇଥିଲେ। ବାରମ୍ଭାର ଅଭିଯୋଗ ପରେ ମଧ୍ୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ। ପାଣି ସମସ୍ୟାକୁ ନେଇ ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ ଜଳ ଓ ପରିମଳ ଯନ୍ତ୍ରୀ ସୁବାସ ସ୍ବାଇଁଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ । ଆବାସ ଯୋଜନାରେ ଆସୁଥିବା ମନରେଗା ଅର୍ଥ ଓ ପୁରସ୍କାର ରାଶି ସରକାରୀ କର୍ମଚାରୀଙ୍କ ଅବହେଳା ପାଇଁ ହିତାଧିକାରୀ ପାଇବାରୁ ବଞ୍ଚିତ ହେଉଥିବା ନେଇ ଲୋକ ପ୍ରତିନିଧିମାନେ ବ୍ଲକ୍ ପ୍ରୋଗ୍ରାମ ଅଫିସରଙ୍କୁ ଘେରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ମଧ୍ୟ ସମାନ ଢଙ୍ଗରେ ମିଳିମିଶି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ ରଖିଥିଲେ । ଏହି ସମିତି ବୈଠକରେ ଓଡ଼ଗାଁ ବିଡ଼ିଓ, ତହସିଲଦାର, ଜିଲ୍ଲାପରିଷଦ ସଭ୍ୟା, ୩୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.